
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମନୁ ନାଥ ସେଠୀ ମଙ୍ଗଳବାର ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୫ ବର୍ଷର ନିଷ୍ଠାପର ସେବା ପରେ ସେ ଆଜି ଚାକିରୀ ନିମନ୍ତେ ଧାର୍ଯ୍ୟ ବୟସର ସୀମା ଅତିକ୍ରମ କରି ଅବସର ନେଇଛନ୍ତି । ୧୯୯୧ ମସିହାରେ ସରକାରୀ ସେବାରେ ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ଭାବରେ ଯୋଜନା ଓ ସଂଯୋଜନ ବିଭାଗରେ ଯୋଗ ଦେଇଥିବା ଶ୍ରୀ ସେଠୀ ନିଜର କର୍ମମୟ ଜୀବନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଅତିରିକ୍ତ ବାଣିଜ୍ୟ କର ଅଧିକାରୀ, ଜିଲ୍ଲା କୋଷାଗାର ଅଧିକାରୀ, ବାଣିଜ୍ୟ କର ବିଭାଗର ଡେପୁଟି କମିଶନର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅର୍ଥ ନିୟନ୍ତ୍ରକ ଏବଂ ବାଣିଜ୍ୟ କର ଏବଂ ପଣ୍ୟ ଓ ସେବା କର ବିଭାଗ ବିଭାଗର ଅତିରିକ୍ତ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶେଷରେ ସେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ସଚିବ ଭାବେ ନିଜର ଦାୟିତ୍ୱ ତୁଲାଇଥିଲେ।
ସେ ଜଣେ ମିଷ୍ଟଭାସୀ ଓ ଉଦାର ସ୍ୱଭାବର ବ୍ୟକ୍ତିତ୍ୱ । ତାଙ୍କର ସରଳ ଓ ନିଷ୍କପଟ ବ୍ୟବହର ଦ୍ୱାରା ସେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ। ତାଙ୍କର ଏହି ଦୀର୍ଘ ଏବଂ ସଫଳ କାର୍ଯ୍ୟକାଳ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଆଜିର ଏହି ଅବସର ଦିନରେ ସହକର୍ମୀ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନର କାମନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା