
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ସରକାର ଯେଉଁ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହୋଇ ନାହିଁ। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିଲା କିନ୍ତୁ କିଛି କିଛି ସ୍ଥାନରେ ଦୁଇ ଦିନ ଘୁଂଚା ଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ ସଂଗ୍ରହ ସରିବା କଥା କହିଥିଲେ ରାଜ୍ୟ ସରକାର। କିନ୍ତୁ ବର୍ତମାନ ସୁଦ୍ଧା ମଧ୍ୟ ଅନେକ ଚାଷୀଙ୍କ ଠାରୁ ଧାନ ଉଠୁନି ବୋଲି କହିଛନ୍ତି କିଷାନ୍ କଂଗ୍ରେସ ସଭାପତି ଅଭୟ ସାହୁ। ସେ କହିଛନ୍ତି ଯେ ମନ୍ତ୍ରୀ ଯେଉଁ କହୁଛନ୍ତି ୨ଦିନ ଅବଧି ବୃଦ୍ଧି କରାଯିବ ତାହା ସମସ୍ୟାର ସମାଧାନ ନୁହେଁ। ପଞ୍ଜିକୃତ ଚାଷୀ ମାନଙ୍କ ପାଖରେ ବିକ୍ରି ଯୋଗ୍ୟ ଧାନ ଯେଉଁ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ମଣ୍ଡି ଖୋଲା ରଖନ୍ତୁ। ସରକାର ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ସବୁ ଧାନ କିଣିବୁ ତାହା ପାଳନ କରନ୍ତୁ ନ ହେଲେ ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଆନ୍ଦୋଳନ ହେବ। ଯୋଗାଣ ମନ୍ତ୍ରୀ ଯେଉଁଠି କି ଯିବେ ସେଠି ତାଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି କିଷାନ୍ କଂଗ୍ରେସ ସଭାପତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା