
ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ
ଆଚାର୍ଯ୍ୟ କହିଛନ୍ତି ଯେ, ଦିଲ୍ଲୀରେ ବିଜେପିର ଜଣେ ସାଂସଦ ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡିଶାର ଅନ୍ୟତମ
ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଯେଉଁ ଆଶାଳିନ
ଓ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି ଓଡିଶାର ସ୍ୱାଭିମାନ ଦୋହଲି ଯାଇଛି । ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆର ସ୍ୱାଭିମାନର ପ୍ରତୀକ ଥିଲେ । ତାଙ୍କ
ପ୍ରତି ଦିଆଯାଇଥିବା ମନ୍ତବ୍ୟ ଓଡ଼ିଆର ଅଭିମାନ ଉପରେ ପ୍ରଚଣ୍ଡ ଆଘାତ କରିଛି । ଗୃହ ଓଡ଼ିଆ ଜାତିରୁ
ବାହାରେ ନୁହେଁ । ସାରା ଭାରତ ବର୍ଷ ଆଜି ଏହାର ପ୍ରତିବାଦ କରୁଛି । ଆଜି ଏ ଗୃହ ନିରବ ଦ୍ରଷ୍ଟା
ହୋଇ ରହି ପାରିବ ନାହିଁ । ସ୍ୱାଧୀନତା ଆନ୍ଦୋଳନ ବେଳେ ବିଜୁ ପଟ୍ଟନାୟକ ଜେଲ ଯାଇଛନ୍ତି ।
ସ୍ୱାଧୀନତା ପରେ କାଶ୍ମୀର ଦଖଲ ପାଇଁ ପାକିସ୍ତାନ ଆଗକୁ ବଢୁଥିବା ବେଳେ ଯେଉଁ କେତେ ଜଣ ପାଇଲଟ
ସେନାକୁ ଶ୍ରୀନଗରରେ ଓଲ୍ହାଇ ଥିଲେ ଆଗରେ ବିଜୁ ପଟ୍ଟନାୟକ ଥିଲେ । 3 ମାସର ଶିଶୁ ନବୀନ ପଟ୍ଟନାୟକଙ୍କୁ
ଘରେ ଛାଡି ଡାକୋଟା ବୀମାନ ନେଇ ଜାକର୍ତା ଯାଇ
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଭାରତ ଆଣିଥିଲେ । ବିଜୁ ବାବୁଙ୍କୁ ସିଆଇଏଏଜେଣ୍ଟ କହିବାଠୁ ବଡ ଲଜ୍ୟା ଜନକ କଥା କିଛି ନୁହେଁ । ବିଜେଡି ଦେଇଥିବା ନିନ୍ଦା ପ୍ରସ୍ତାବ
ଆଗତ କରିବାକୁ ଗ୍ରହଣ କରି ପାରିତ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ
ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା