
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ ମହିଳା ଦିବସରେ ମାତୃଶକ୍ତିଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ
ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ନାରୀଶକ୍ତି ହିଁ ସମାଜର ପ୍ରକୃତ
ଶକ୍ତି। ଏହି ଦୃଢ଼ ବିଶ୍ୱାସ ସହ ଆମ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତିକରଣକୁ
ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଓଡ଼ିଶାର ମହିଳାମାନେ 'ସୁଭଦ୍ରା' ଯୋଜନା ମାଧ୍ୟମରେ ଆର୍ଥିକ
ସ୍ୱାଧୀନତା ପାଉଥିବା ବେଳେ 'ଲକ୍ଷପତି ଦିଦି' ଅଭିଯାନ ଜରିଆରେ ନୂତନ ଉଦ୍ୟୋଗୀ
ଭାବେ ଆତ୍ମପ୍ରକାଶ କରୁଛନ୍ତି। ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ 'ମୁଖ୍ୟମନ୍ତ୍ରୀ କନ୍ୟା
ସୁମଙ୍ଗଳ' ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଥିବା ବେଳେ 'ମୁଖ୍ୟମନ୍ତ୍ରୀ କନ୍ୟା
ବିବାହ ଯୋଜନା' ସାମାଜିକ ସୁରକ୍ଷାକୁ ସୁଦୃଢ଼ କରୁଛି। ସେହିପରି 'ମମତା' ଓ 'ପ୍ରଧାନମନ୍ତ୍ରୀ ମାତୃ
ବନ୍ଦନା' ଯୋଜନା ଜରିଆରେ ମା' ଓ ଶିଶୁ କଲ୍ୟାଣକୁ ସୁନିଶ୍ଚିତ କରାଯାଉଛି। 'ସୁଭଦ୍ରା ୱେଲନେସ୍
ସେଣ୍ଟର' ଓ 'ସୁଭଦ୍ରା ଶକ୍ତି ସମ୍ବାଦ' ଭଳି ଅଭିନବ ପ୍ରୟାସ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତାକୁ
ଆହୁରି ମଜବୁତ କରୁଛି।
ଆମର ଏହି ସମସ୍ତ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି
ନାରୀଶକ୍ତିଙ୍କୁ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା। ସ୍ୱାସ୍ଥ୍ୟଠାରୁ ସ୍ୱାବଲମ୍ବନ
ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ନାରୀଶକ୍ତିଙ୍କୁ ଆଗକୁ ନେବା ପାଇଁ ଆମେ ସଙ୍କଳ୍ପବଦ୍ଧ। ଆସନ୍ତୁ, ମହିଳାମାନଙ୍କ ଅଦମ୍ୟ ସାହସ
ଓ ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଏବଂ ଏକ ସମାନତା ଭିତ୍ତିକ ସମାଜ ଗଠନରେ ସହଭାଗୀ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା