

Odisha, 10 ଏପ୍ରିଲ୍ (ହି.ସ.)
ଖୋର୍ଦ୍ଧା,ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଆଜି ଦୁଇ ଦୁଇଟି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ୍ କୋଟିଏ ୨୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ଆଜି ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ପ୍ରଥମ ଧରପଗଡ଼ ହୋଇଛି ଜଙ୍କିଆ ଥାନା ଛଣଗିରି ଫୁଟ୍ବଲ୍ ପଡ଼ିଆ ସାମ୍ନାରୁ। ଏକ ଟାଟା ଏସିଇ ଗାଡ଼ି(ଓଡି ୦୨ସିକେ-୮୭୪୩) ଯୋଗେ ନୟାଗଡ଼ରୁ ଜଙ୍କିଆ ଆଡ଼କୁ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ନେତୃତ୍ବରେ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଘଟଣା ସ୍ଥଳରୁ ୯୬୦ କେଜି ଗଞ୍ଜେଇ ଠାବ କରିଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଏକ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣାରେ ଜଟଣୀ ଗଜପତିନଗର ଅଞ୍ଚଳର କାଳୁ ଚରଣ ଦାସ ଗିରଫ ହୋଇଛନ୍ତି। ତାଙ୍କଠାରୁ ଏକ ମୋବାଇଲ୍ ବି ଜବତ ହୋଇଛି।ସେହିପରି ଦ୍ବିତୀୟ ଚଢ଼ଉ ହୋଇଛି ଖୋର୍ଦ୍ଧା ମେଡ଼ିକାଲ୍ ଛକ ନିକଟରେ। ଏକ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ଇନିସପେକ୍ଟର ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ଏକ ଟିମ୍ ଧରପଗଡ଼ କରିଥିଲା। କାର୍ରୁ (ଓଡି ୦୨ଡିଏମ୍-୦୯୭୦) ୧୦୦ କେଜି ଗଞ୍ଜେଇ ଠାବ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୧ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲାର ମହେଶ ମଲ୍ଲିକ ଓ ପ୍ରକାଶ ପ୍ରଧାନ ଗିରଫ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ