
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଗତ ୩ଦିନ ଧରି କାଳବୈଶାଖୀ ପ୍ରଭାବରେ ଘନଘନ ବଜ୍ରପାତରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଚୂଡା ଦଧିନଉତିରେ ଲାଗିଥିବା ତ୍ରିଶୁଳର କିଛି ଅଂଶ ଭାଙ୍ଗିଯିବା ସହ ଗୋଟିଏ ପାର୍ଶ୍ୱକୁ ଢଳି ପଡ଼ିଛି। ଏପରି ଲାଗିଥିବା ନେତ ଚିଡିଯାଇ ଓହଳି ରହିଛି। ସୂଚନା ଅନୁଯାୟୀ ଦୀର୍ଘ ୨ବର୍ଷରୁ ଉର୍ଦ୍ଧ ହେବ ମନ୍ଦିରର ସୁରକ୍ଷା ପାଇଁ ଲାଗିଥିବା ଆର୍ôଥଙ୍ଗି ପ୍ଲେଟ୍ ଅକାମୀ ହୋଇପଡ଼ିବା ଦ୍ୱାରା ବଜ୍ରପାତ ନିୟନ୍ତ୍ରଣ କରିପାରୁନଥିବା ଜଣାପଡ଼ିଛି। ଏପରି ସମସ୍ୟା ବାବଦରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପାଖରେ ଖବର ଥିଲେ ମଧ୍ୟ ବିଭାଗ ପକ୍ଷରୁ ମରାମତି କରାଯିବା ତ ଦୂରର କଥା କେହି ହେଲେ ଯାଂଚ କରିବାକୁ ଆସୁ ନାହାନ୍ତି। ଆଗକୁ ଯଦି ବଡ଼ ଝଡ଼ତୋଫାନ ସହ ବଜ୍ରପାତ ହୁଏ ତାହାଲେ ମନ୍ଦିର ପ୍ରତି ବଡ଼ ବିପଦ ସୃଷ୍ଟି ହେବ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ଅନ୍ୟପଟେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ରାଜ୍ୟ ପ୍ରତ୍ନତତ୍ୱ ବିଭାଗ। ପୂର୍ବରୁ ମନ୍ଦିର ଓ ବେଢ଼ା ପରିସର ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଜଣେ କର୍ମଚାରୀ ରହିଥିଲେ। ହେଲେ ଦୀର୍ଘ ୬/୭ବର୍ଷ ହ୍ୱେ ତାଙ୍କର ବଦଳି ପରେ କୈଣସି କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ନିୟୋଜିତ କରାଯାଇନାହିଁ । ଯାହାଫଳରେ ମନ୍ଦିରରେ ନାନାଦି ସମସ୍ୟା ଦେଖା ଦେବା ସହ ମୁଖ୍ୟ ମନ୍ଦିର ସହ ଅନେକ ସ୍ଥାନରେ ଛୋଟବଡ ବର, ଅଶ୍ୱଥ ଗଛ ଉଠି ଫାଟ ସୃଷ୍ଟି ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ