
ଜୟପୁର, ୧୦ ଏପ୍ରିଲ୍ (ହି.ସ.)- ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୋରିଗୁମ୍ମାକୁ କାୟାକଳ୍ପ ଆୱାର୍ଡରେ ଜିଲ୍ଲାପାଳଙ୍କ ଜରିଆରେ ସମ୍ମାନିତ କରାଯାଇଛି। ଆଜି କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏହି ମାନପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି, ଗତ ୧୪ ଜାନୁଆରୀ ୨୦୨୬ ରେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଉଚ୍ଚ ସ୍ତରୀୟ ଟିମ୍ (କାୟାକଳ୍ପ) ପହଞ୍ଚି ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଓ ପାରିବେଶିକ ସ୍ୱଚ୍ଛତାକୁ ଏହି ଟିମ୍ ପରଖିଥିଲେ। ନିରାମୟ ଯୋଜନା, ନିଦାନ, ଅଣ ସଂକ୍ରମିତ ରୋଗ, ଯକ୍ଷ୍ମା, ସ୍ତ୍ରୀ ଓ ପ୍ରସୂତି ବିଭାଗ, ବର୍ଯ୍ୟବସ୍ତୁ ପରିଚାଳନା ଭଳି ଅନେକ ଗୁଡ଼ିଏ ବିଭାଗ ବୁଲି ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅକ୍ଷୟ କୁମାର କୁଣ୍ଡୁ ଏବଂ ବି.ପି.ଏମ୍. ସସ୍ମିତା ତ୍ରିପାଠୀ ଏହି ମାନପତ୍ର ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଏହାର ଶ୍ରେୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଦିଆଯାଉଛି ବୋଲି ମତ ପ୍ରକାଶ କରିଛନ୍ତି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ କୁମାର ଶତପଥୀ।
ହିନ୍ଦୁସ୍ଥାନ ସମାଚାର / ପିକେପି