
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଏହି ଜିଲାର ଚାନ୍ଦବାଲିର ନିତ୍ୟ ଆରାଧ୍ୟା ଦେବୀ ମା' ଦକ୍ଷିଣେଶ୍ୱରୀ କାଳୀଙ୍କ ୩୯ତମ ସ୍ୱ-ନକ୍ଷତ୍ର ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ମନ୍ଦିର ସଭା ଗୃହ ପରିସରରେ ଅନଷ୍ଠିତ ହୋଇଛି। ମନ୍ଦିର ପରିଚାଳନା ସମିତିର ସଭାପତି ଦ୍ୱିଜବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ନିତ୍ୟାନନ୍ଦ ବିଶ୍ୱାଳ,ବରିଷ୍ଠ ସଦସ୍ୟ ନରେଶ ଚନ୍ଦ୍ର ମାଝୀ, ଶରତ ଚନ୍ଦ୍ର ସାହୁ, ସୁଧୀର କୁମାର ମହାନ୍ତି, ଅମୂଲ୍ୟ କୁମାର ରାଉତ, ନରେନ୍ଦ୍ର ନାଥ ଯତି, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆସନ୍ତା ମେ ମାସ ୧୧ ତାରିଖ ବୈଶାଖ ମାସ ଦି୨୮ନ ନବମୀ ତିଥିରେ ମା'ଙ୍କର ପାଷାଣ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଉକ୍ତ ଦିନ ସ୍ଥାନୀୟ ଅଞ୍ଚଳର ମହିଳାମାନଙ୍କ ଦ୍ୱାରା ଏକ ବିଶାଳ କଳସ ଶୋଭାଯାତ୍ରା ସିଂହବାଜା,ମାଦଳ ବାଜା,ରଙ୍ଗ ଢୋଲ, ପୁରୀର ଘଂଟବଜା ଦଳ ଓ ସଙ୍କୀର୍ତନ ମଣ୍ଡଳୀ ସହିତ ସହର ପରିକ୍ରମା କରି ପୂଣ୍ୟତୋୟା ବୈତରଣୀ ନଦୀରୁ ପୂର୍ଣ୍ଣ କୁମ୍ଭ ଜଳ ଆଣି ମା'ଙ୍କୁ ମହାସ୍ନାନ କରାଯିବ।ତା ପର ଦିନ ଠାରୁ ମନ୍ଦିର ପରିସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ଅଷ୍ଟ ପ୍ରହରୀ କୀର୍ତନ ଅନୁଷ୍ଠିତ ହେବ ବୋଲି ବୈଠକରେ ଆଲୋଚନା ହୋଇ ନିଷ୍ପତି ହୋଇଛି ବୋଲି ପ୍ରକାଶ। ଆଗାମୀ ଡ଼ିସେମ୍ବର ମାସରେ ମା'କାଳୀଙ୍କର ଶତ ବାର୍ଷିକୀ ମହୋତ୍ସବ ହେବ ଯେଉଁଥିରେ ଜଗତ୍ ଗୁରୁ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଓ ଠାକୁର ରାଜା ଗଜପତି ମହାରାଜା ପ୍ରମୁଖ ଯୋଗ ଦେବା ପାଇଁ ଯୋଗାଯୋଗ ଚାଲିଛି, ଏହି ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବ ଇଚ୍ଛୁକ ଲେଖକ, ଲେଖିକା, ସାହିତ୍ୟିକ, କବି ଓ କବୟିତ୍ରୀମାନେ ଯେଉଁ ମାନେ ଲେଖା ଦେବାକୁ ଚାହୁଁଛନ୍ତି ସମ୍ପାଦକ, ମା'କାଳୀ କମିଟିଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରଜିତ ପଣ୍ଡା, ଦୈତାରୀ ନାୟକ, ପ୍ରଫୁଲ୍ଲ କୁମାର ବେହେରା, ଗୟାଧର ସାହୁ, ମନୋଜ କୁମାର ମିଶ୍ର, ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ