
ଝାରସୁଗୁଡ଼ା, ୧୦ ଏପ୍ରିଲ୍ (ହି.ସ.)- ଜନସେବାକୁ ଅଧିକ ସରଳ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୱାଟ ସେପ ଆଧାରିତ ଚାଟ୍ବଟ୍ ‘ସହଜ’ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି। ଏହି ଅଭିନବ ପ୍ରୟାସକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ସମ୍ବଲପୁର ରାଜସ୍ୱ ବିଭାଗୀୟ କମିଶନର ସଂଗ୍ରାମ କେଶରୀ ମହାପାତ୍ର ଓ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଉପସ୍ଥିତ ଥିଲେ।
ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଏହି ଚାଟ୍ବଟ୍ ଦ୍ୱାରା ସାଧାରଣ ଲୋକ ନିଜ ସମସ୍ୟାକୁ ସରକାରଙ୍କ ପହଞ୍ଚରେ ଶୀଘ୍ର ଆଣିପାରିବେ ଓ ପ୍ରଶାସନିକ ବ୍ୟବସ୍ଥା ଅଧିକ ଉତ୍ତରଦାୟୀ ହେବ। ବିଧାୟକ ଟଙ୍କଧର ତ୍ରିପାଠୀ ଏହାକୁ ଶାସନର ସ୍ୱଚ୍ଛତା ଓ ଜନସହଭାଗିତା ବୃଦ୍ଧିରେ ଏକ ଦୃଢ଼ ପଦକ୍ଷେପ ବୋଲି କହିଥିଲେ।
ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ କହିବାନୁସାରେ, ‘ସହଜ’ ମାଧ୍ୟମରେ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ଥିବା ଦୂରତା କମିବ ଓ ଦୁର୍ଗମ ଅଞ୍ଚଳର ଲୋକମାନେ ସହଜରେ ସରକାରୀ ସେବା ପାଇପାରିବେ। ‘ସହଜ’ ଚାଟ୍ବଟ୍ ର ବିଶେଷତା ହେଉଛି, ଯେକୌଣସି ବ୍ୟକ୍ତି ଅତିରିକ୍ତ ଆପ୍ ଡାଉନଲୋଡ୍ ଛଡ଼ା କେବଳ ୱାଟ ସାପ ମାଧ୍ୟମରେ ନିଜ ଅଭିଯୋଗ ପଞ୍ଜିକରଣ କରିପାରିବେ। ଏହା ୨୪ ଘଣ୍ଟା ସେବା ଯୋଗାଇଥାଏ ଓ ଅଭିଯୋଗର ସ୍ଥିତି ସମ୍ପର୍କରେ ନିୟମିତ ସୂଚନା ମେସେଜ୍ ମାଧ୍ୟମରେ ମିଳିବ। ଏହି ସେବା ବ୍ୟବହାର ପାଇଁ ନାଗରିକମାନେ +୯୧ ୮୯୯୯୪ ୭୦୮୨୪ ନମ୍ବରକୁ ସେଭ୍ କରି ୱାଟ ସାପ ରେ ନିଜ ସମସ୍ୟା ଜଣାଇପାରିବେ। ଫଟୋ ଓ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବା ସୁବିଧା ମଧ୍ୟ ରହିଛି।
ଏହି ଅବସରରେ ଜିଲ୍ଲାର ଜଣେ ବାସିନ୍ଦାଙ୍କ ଦ୍ୱାରା ପ୍ରଥମ ଅଭିଯୋଗ ପଞ୍ଜିକରଣ କରାଯାଇଥିଲା। ଜିଲ୍ଲା ପ୍ରଶାସନର ଏହି ଡିଜିଟାଲ୍ ପଦକ୍ଷେପକୁ ରାଜ୍ୟରେ ଏକ ଆଦର୍ଶ ମଡେଲ୍ ବୋଲି ମନେ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ