


ସମ୍ବଲପୁର, ୧୦ ଏପ୍ରିଲ୍(ହି.ସ.) – ସମ୍ବଲପୁର ଜିଲ୍ଲାର ଚାଷୀଙ୍କୁ ତୃତୀୟ ଟୋକନ ପରେ ଆଉ ଟୋକନ ଆସିଲାନି। ଫଳରେ ଚାଷୀଙ୍କ ପାଖରେ ଏବେବି ବିପୁଳ ପରିମାଣର ଧାନ ପଡି ରହିଛି ବୋଲି ଆଜି ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣିବେ ବୋଲି ସରକାର ପ୍ରତିଶୃତି ଦେବା ସହ ପୁଣି ୭ ଦିନ ସମୟ ବଢ଼ାଇଥିଲେ। ହେଲେ ଦିନ ପରେ ଦିନ ଗଲା, ହେଲେ ଧାନ କିଣିଲେ ନାହିଁ କି, ଟୋକନ ବି ଦେଲେ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଆଗକୁ ରବି ଅମଳ ହେବାକୁ ଥିବାବେଳେ ଏବେବି ଖରିଫ ଧାନ ବିକ୍ରି ହୋଇ ନାହିଁ। ନିର୍ବାଚନ ବେଳେ ବହୁ ମନଗଢ଼ା ପ୍ରତିଶ୍ରୁତି ଚାଷୀଙ୍କୁ ଦେଇ ଶାସନ କଳକୁ ଆସିବା ପରେ ସରକାର ଯେଉଁ ପ୍ରତିଶ୍ରୁତିର ପ୍ରହସନ ଦେଖାଉଛନ୍ତି ତାହା କେବେ ବି ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ଆଜି ଶତାଧିକ ଚାଷୀ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଧାନ ବିକ୍ରି ଦିଗରେ ଯଥା ଶିଘ୍ର ସରକାର ନୀତିଗତ ନିଷ୍ପତି ନେଇ ଚାଷୀ ସମାଜକୁ ଆଶ୍ୱସ୍ତି କରନ୍ତୁ ବୋଲି ଆଜି ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟର ସମବେତ ଶତାଧିକ ଚାଷୀ ଖୋଲାଖୋଲି ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିବା ସହ ଏକ ସୌଜନ୍ୟ ମୁଳକ ସାକ୍ଷାତକାର କରି ନିଜ ନିଜର ପାରିବାରିକ ଓ ଚାଷ ସମ୍ପର୍କିତ ସମସ୍ୟା ଅବଗତ କରାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ