ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ୧୭ ରେ
ପୁରୀ, ୧୦ ଅପ୍ରେଲ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ୧୭ ତାରିଖରେ ତାଳବଣିଆ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବା ଆଇଟିଆଇ ପରିସରରେ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ମେଳା ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକା
ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ୧୭ ରେ


ପୁରୀ, ୧୦ ଅପ୍ରେଲ (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅପ୍ରେଲ ୧୭ ତାରିଖରେ ତାଳବଣିଆ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବା ଆଇଟିଆଇ ପରିସରରେ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ମେଳା ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା କହିଛନ୍ତି। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ପ୍ରଦାନ କରି ଅତିରିକ୍ତ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ ବସ୍ତି କହିଥିଲେ ଯେ, ଜିଲ୍ଲାର ନିଯୁକ୍ତି ଆଶାୟୀ ୧୮ରୁ ୩୫ ବର୍ଷ ବୟସର ଯୁବବର୍ଗ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ୮ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ, ଆଇଟିଆଇ ଓ ଡିପ୍ଲୋମା ପାସ କରିଥିବା ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରି ନିଯୁକ୍ତି ପାଇପାରିବେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ ବିଭାଗର ପ୍ରତିଷ୍ଠିତ ବେସରକାରୀ ସଂସ୍ଥାର ନିଯୁକ୍ତିଦାତା ମାନେ ଅଂଶଗ୍ରହଣ କରି ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ। ଆଶାୟୀ ପ୍ରାର୍ଥୀ ବା ପ୍ରାର୍ଥୀନୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ନିଜ ଇଛା ମୁତାବକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ସହିତ ସାକ୍ଷାତକାର ଦେଇ ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ପାଇ ପାରିବେ। ଏତଦ ବ୍ୟତୀତ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ଥିବା ଅଥବା ଉନ୍ନତ ଅଭିଳାଷ ଓଡିଶା ଯୋଜନା ମାଧ୍ୟମରେ ଅଧିକୃତ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାର ଅଧିକାରୀ ମାନେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରି ଚାହିଦା ଥିବା ବିଭାଗ ଗୁଡିକରେ ସ୍ବଳ୍ପ ଅବଧିର ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ପଞ୍ଜିକୃତ କରିବେ। ତାଲିମ ସମାପ୍ତ ପରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ତାଲିମ ପ୍ରଦାନକାରୀ ସଂସ୍ଥା ମାନେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରିବେ। ତାଲିମ ସମୟର ରହିବା, ୟୁନିଫର୍ମ ପୋଷାକ, ବୀମା, ପାଠ୍ୟ ଉପକରଣ, ଖାଦ୍ୟ ପେୟ ଇତ୍ୟାଦିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଶ୍ରୀ ବସ୍ତି ସୂଚନା ଦେଇଥିଲେ। ପୁରୀ ଜିଲ୍ଲାର ନିଯୁକ୍ତି ଆଶାୟୀ ସମସ୍ତ ଯୁବକ ଯୁବତୀ ନିଜର ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାର କାର୍ଡ, ପାସପୋର୍ଟ ଫଟୋ ସହ ଅପ୍ରେଲ ୧୭ ତାରିଖ ଦିନ ୧୦ଟା ସମୟରେ ପୁରୀ ସରକାରୀ ଆଇଟିଆଇ, ତାଳବଣିଆ ଠାରେ ଅଂଶଗ୍ରହଣ କରିବାକୁ ନିୟୋଜନ ଅଧିକାରୀ ଶ୍ରୀ ବେହେରା ଅନୁରୋଧ କରିଥିଲେ।

ଏହି ଗଣମାଧ୍ୟମ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର ସେକ୍ସନ ଅଫିସର ପୁଷ୍ପଲତା ପ୍ରଧାନ ଓ ଅନ୍ୟାନ୍ୟ ସହକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande