ଝାରସୁଗୁଡ଼ା ପୌରପାଳିକାର ୧୯ତମ କାଉନସିଲ୍ ବୈଠକ; ସହରର ବିକାଶ ପାଇଁ ଗ୍ରହଣ କରାଗଲା ଏକାଧିକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ
ଝାରସୁଗୁଡ଼ା, ୧୧ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆଜି ପୌର ଅଧ୍ୟକ୍ଷା ରାନୀ ହାତୀଙ୍କ ଅଧ୍ୟକ୍ଷତାରେ ୧୯ତମ କାଉନସିଲ୍ ବୈଠକ ସୂଚାରୁରୂପେ ସମ୍ପନ୍ନ ହୋଇଯାଇଛି। ଏହି ବୈଠକରେ ଉପ-ଅଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ,
ଝାରସୁଗୁଡ଼ା ପୌରପାଳିକାର ୧୯ତମ କାଉନସିଲ୍ ବୈଠକ; ସହରର ବିକାଶ ପାଇଁ ଗ୍ରହଣ କରାଗଲା ଏକାଧିକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ


ଝାରସୁଗୁଡ଼ା, ୧୧ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆଜି ପୌର ଅଧ୍ୟକ୍ଷା ରାନୀ ହାତୀଙ୍କ ଅଧ୍ୟକ୍ଷତାରେ ୧୯ତମ କାଉନସିଲ୍ ବୈଠକ ସୂଚାରୁରୂପେ ସମ୍ପନ୍ନ ହୋଇଯାଇଛି। ଏହି ବୈଠକରେ ଉପ-ଅଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ, ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ବିଧାୟକଙ୍କ ପ୍ରତିନିଧି ବଲବିନ୍ଦର ସିଂ ଏବଂ ସାଂସଦଙ୍କ ପ୍ରତିନିଧି ନେତାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହରର ବିଭିନ୍ନ ଜନହିତକର କାର୍ଯ୍ୟ ଓ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକର ପ୍ରାରମ୍ଭରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ସହରର ସମସ୍ତ ନର୍ଦ୍ଦମା ସଫା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ଥିବା ଫାଉଣ୍ଟେନ୍ ବା ଝରଣାଗୁଡ଼ିକର ମରାମତି ଏବଂ ସମସ୍ତ ୱାର୍ଡରେ ଆବଶ୍ୟକୀୟ ଆଲୋକ ବ୍ୟବସ୍ଥାର ଆକଳନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଓ ପଥିକମାନଙ୍କ ପାଇଁ ଅସ୍ଥାୟୀ ଟ୍ରାଫିକ ସେଡ୍ ନିର୍ମାଣ କରିବାକୁ ମଧ୍ୟ ସ୍ଥିର କରାଯାଇଛି। ସହରର ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ପାଇଁ କେତେକ ବୈପ୍ଳବିକ ପଦକ୍ଷେପ ଉପରେ ମୋହର ବାଜିଛି। ଝାଡ଼େଶ୍ୱର ମନ୍ଦିର ନିକଟରେ ଏକ ସୁଏଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ, ପୁରୁଣାବସ୍ତି ଜଳାଶୟର ପୁନରୁଦ୍ଧାର ଏବଂ ଡମ୍ପିଂ ୟାର୍ଡକୁ ଏକ ସବୁଜ ବଳୟରେ ପରିଣତ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସର୍ବାହାଲ ହାଇସ୍କୁଲ, ମନମୋହନ ସ୍କୁଲ ଏବଂ ଇଞ୍ଜିନିୟରିଂ ସ୍କୁଲ ନିକଟରେ ଥିବା ଖୋଲା ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ। ଆଧୁନିକ ଜୀବନଶୈଳୀକୁ ଆଖିରେ ରଖି ସହରରେ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ମଧ୍ୟ ଯୋଜନା ରହିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ପଞ୍ଚପଡ଼ା ଠାରେ ଏକ ୭୫ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମ ପ୍ରତିଷ୍ଠା ଏବଂ ସହରର ଭୂମିହୀନ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇଦେବା ପାଇଁ ଆଲୋଚନା ହୋଇଥିଲା। ଏହା ବ୍ୟତୀତ, ସହରର ବିଭିନ୍ନ ସ୍ଥାନରେ ରାସ୍ତା ଓ ନାଳ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ବିଶେଷ ଭାବେ ବେଦାନ୍ତ ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନରୁ ବକେୟା ଟିକସ ଆଦାୟ ଉପରେ ଗୁରୁତ୍ୱାରୋପ କରାଯାଇଛି। କାଉନସିଲ୍ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଗତ ପ୍ରାୟ ୧୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଶେଷରେ, ପୌରପାଳିକାରେ ଥିବା କର୍ମଚାରୀ ଅଭାବ ଦୂର କରିବା ଏବଂ ୨୦୨୮ ସୁଦ୍ଧା ଅବସର ନେବାକୁ ଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମସ୍ତ ୱାର୍ଡର କାଉନସିଲର ଓ ପୌରପାଳିକାର ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande