




ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀ ଟ୍ରଫିର ପ୍ରଥମ ସଂସ୍କରଣର ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ ଆଜି ଉତ୍ସାହପୂର୍ଣ୍ଣ ଉଦ୍ଘାଟନ ଉତ୍ସବ ସହିତ ଆରମ୍ଭ ହେଲା । ଜିଲ୍ଲାର ବିଭିନ୍ନ କୋଣରୁ ଆସିଥିବା ଖେଳାଳି, ପ୍ରଶିକ୍ଷକ, ଓ କ୍ରୀଡାପ୍ରେମୀମାନଙ୍କର ଉପସ୍ଥିତିରେ ଉତ୍ସବଟି ଏକ ସାମୁଦାୟିକ ଉତ୍ସବର ରୂପ ନେଇଥିଲା । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର ଯୋଗଦାନ କରିଥିଲେ ।
ଜିଲ୍ଲାସ୍ତରରେ ଖୋ-ଖୋକୁ ପ୍ରଚାର କରିବା, ନୂତନ ପ୍ରତିଭାକୁ ଖୋଜିବା, ଗ୍ରାମ୍ୟ ଓ ସହରର ଯୁବମାନଙ୍କୁ କ୍ରୀଡାକ୍ଷେତ୍ରରେ ଅଗ୍ରସର କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ, ମୁଖ୍ୟମନ୍ତ୍ରୀ ଟ୍ରଫିର ପ୍ରଥମ ସଂସ୍କରଣ ବଲାଙ୍ଗିରରେ ଖୋ-ଖୋର ଏକ ସୁନେଲି ଯୁଗ ଆରମ୍ଭ କରିବାର ଆଶା ଯୋଗାଇଛି । ଏହି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ-୨୦୨୬ କେବଳ ଏକ କ୍ରୀଡା ପ୍ରତିଯୋଗିତା ନୁହେଁ, ଛାତ୍ରଛାତ୍ରୀମାନଙ୍କର ସାମୁଦାୟିକ ଏକତା, ସ୍ୱାସ୍ଥ୍ୟ ଓ ସାହସର ପ୍ରତୀକ ଭାବେ ଦୃଢ଼ ପଦକ୍ଷେପ ନେଇଛି । ବଲାଙ୍ଗିରରେ ଆୟୋଜିତ ଏହି ଚାମ୍ପିୟନସିପ ଜିଲ୍ଲାର କ୍ରୀଡା ସଂସ୍କୃତିକୁ ନୂତନ ଦିଗରେ ନେବା ସହିତ ଯୁବମାନଙ୍କର ସାମୁଦାୟିକ ଏକତା ଓ ସ୍ୱାସ୍ଥ୍ୟ ସଚେତନତାକୁ ଦୃଢ଼ କରିବାରେ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ ବୋଲି ମୁଖ୍ୟ ଅତିଥି ନିଜର ଅଭିଭାଷଣରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ଖୋ-ଖୋ ଚାମ୍ପିୟନସିପ-୨୦୨୬ରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବରୁ ୧୦ଟି ବାଳକ ଓ ୦୬ଟି ବାଳିକା ଦଳମାନେ ଅଂଶଗ୍ରହଣ କରିଛନ୍ତି ।
ଆଜିର ଉତ୍ସବରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ହରି ନାରାୟଣ ପୂଜାରୀ, ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ଖୋ-ଖୋ ଓ କବାଡିର ସମ୍ପାଦକ ବିଭୁତି ପଣ୍ଡା, ଜିଲ୍ଲା କ୍ରୀଡା ସଂସଦର ସଭ୍ୟ କୃଷ୍ଣ ଚନ୍ଦ୍ର ମିଶ୍ର, ଡାଃ. ସିଦ୍ଧେଶ୍ଵର ମିଶ୍ର, ଜୟରାମ ମିଶ୍ର ଓ ସୁଧୀର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଡିପିଇଓ ପ୍ରଦୀପ କୁମାର ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀଙ୍କ ସହ କ୍ରୀଡା ବିଭାଗର ପ୍ରତିନିଧି, ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ କ୍ଲବର ପଦାଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ