
ବଲାଙ୍ଗିର, ୧୧ ଏପ୍ରିଲ ( ହି.ସ.)- ନିଶାରେ ଉବୁଟୁବୁ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ମଦ ପିଇ ଅଫିସକୁ ଆସୁଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟର ହେଡ କିରାଣୀ ଲମ୍ବୋଦର ଭୋଇଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ତାଙ୍କର ଏଭଳି ଆଚରଣ ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଚଣାବାହାଲ ଗାଁର କଲାର ସିଂ ମେହେର ନିଜର ଜନ୍ମ ପ୍ରମାଣପତ୍ର ପାଇଁ ଅନଲାଇନ ଆବେଦନ କରିଥିଲେ। ଆର୍ ଆଇ ପାଖକୁ ଯାଞ୍ଚ ପରେ ତାହା ତହସିଲ କାର୍ଯ୍ୟାଳୟକୁ ଆସିଥିଲା। ସେକ୍ସନ ଅଫିସର(ବଡ଼ବାବୁ) ଜରିଆରେ ତହସିଲଦାରଙ୍କ ଦସ୍ତଖତ ହୋଇ ସେହି ପ୍ରମାଣପତ୍ର ମିଲିବା କଥା। ହେଲେ ଗତ ଡିସେମ୍ବର ମାସରୁ ଆବେଦନ କରି ବାରମ୍ଵାର ତହସିଲ କାର୍ଯ୍ୟାଳୟକୁ ଧାଇଁଲା ପରେ ବି ପ୍ରମାଣପତ୍ର ମିଳିଲା ନାହଁ। ପରେ ଜଗଦୀଶ କର୍ତ୍ତାମୀଙ୍କ ପାଖରେ ଅଭିଯୋଗ ପହଞ୍ଚିଥିଲା। ତନାଘନା ବେଳେ ସେହି କାଗଜଟି ମିଳିନଥିବା ଲମ୍ବୋଦର ଭୋଇ କହିଥିଲେ। ତହସିଲଦାର ଲୋକଙ୍କୁ ହଇରାଣ ନକରିବା ପାଇଁ ତାଗିଦ କରିଥିଲେ ହେଁ ବଡ଼ବାବୁ ତହସିଲଦାରଙ୍କ ଉପରେ ରାଗ ଦେଖାଇଥିଲେ। ଫଳରେ ତହସିଲଦାର ମୁରିବାହାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତହସିଲ କାର୍ଯ୍ୟାଳୟକୁ ଆସି ତଦନ୍ତ କରିଥିଲେ। ବଡ଼ବାବୁ ପ୍ରଚୁର ମଦ ପିଇଥିବା ଜଣାପଡିଥିଲା। ତାଙ୍କ ବାଇକ ଜବତ କରି ବଡ଼ବାବୁଙ୍କୁ ଥାନାକୁ ଆଣିଥିଲା। ପରେ ଅଣ୍ଡରଟେକିଙ୍ଗ ଲେଖିବା ପରେ ତାଙ୍କୁ ପୁଲିସ ଛାଡି ଦେଇଥିଲା।ଏଭଳି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛନ୍ତି ଆଇନଜୀବୀ ପ୍ରଫୁଲ୍ଲ ନାୟକ। ଅନ୍ୟପକ୍ଷରେ ବଡ଼ବାବୁଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ତହସିଲଦାର ଜଗଦୀଶ କର୍ତ୍ତାମୀ ପ୍ରତିକ୍ରିୟାରେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ