

ମାଲକାନଗିରି, ୧୧ ଏପ୍ରିଲ୍ (ହି.ସ.)- ଗ୍ରାମୀଣ ଅଞ୍ଚଳରେ ନବନିର୍ମିତ ପିଚୁ ରାସ୍ତା କାମରେ ଦୁର୍ନୀତି ନେଇ ଗୁରୁତର ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ କାମ ଠିକ୍ ଭାବରେ ହୋଇନଥିବାରୁ କିଛି ଦିନ ମଧ୍ୟରେ ରାସ୍ତାର ଅନେକ ସ୍ଥାନରେ ଚିପ୍ସ ଗୋଡି ଉଠି ଯାଉଛି l ରାସ୍ତାରୁ ସମ୍ପୂର୍ଣ୍ଣ ଚିପ୍ସ ଉଠି ଏକାଠି ଠୁଳ ହୋଇଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି.-୫୫ ଛକରୁ ମାଲାଭାରମ୍ ପଂଚାୟତ ଛକ ପର୍ଯ୍ୟନ୍ତ ପ୍ରାୟ ୧.୮ କି.ମି. ରାସ୍ତା କାମକୁ ନେଇ ଉଠିଛି ଗୁରୁତର ଅଭିଯୋଗ। ଏମ.ପି.ଭି-୫୫ ,ଏମ.ଭି-୧୨୮, ଏ ମ.ଭି-୮୮ ଏହି ସବୁ ଗ୍ରାମକୁ ସଂଯୋଗ କରୁଥିବା ଓ ମାଲାଭାରମ୍ କୁ ସଂଯୋଗ କରୁଥିବା ଏହି ରାସ୍ତାର କାମ କେବଳ ୨୦ ଦିନ ପୂର୍ବରୁ ସମାପ୍ତ ହୋଇଥିବା ସତ୍ୱେ, ଏହାର ଗୁଣବତା ନେଇ ଏବେ ପ୍ରଶ୍ନ ଉଠିଛି।
ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଠିକ୍ ନିୟମ ମାନି କାମ ନକରିବା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପିଚୁ ମାତ୍ରା ଅତି କମ ଥିବାରୁ ରାସ୍ତା ତମାମ ଚିପ୍ସ ଖେଳେଇ ହୋଇଯାଇଛି, ଯାହାକି ଦୁଇ ଚକିଆ ଯାନ ପାଇଁ ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ବଢ଼ାଉଛି । ବର୍ଷା ଆସିବା ପୂର୍ବରୁ ଏଭଳି ରାସ୍ତାର ଅବସ୍ଥା ଲୋକଙ୍କୁ କଷ୍ଟ ଦେଉଛି । ସ୍ଥାନୀୟ ଅଂଚଳର ଗ୍ରାମ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା କାମ ସମୟରେ ମଧ୍ୟ ନିମ୍ନମାନର କାମ ହେଉଥିବାକୁ ନେଇ ଏମ.ଭି. ୧୨୮ ଗ୍ରାମବାସୀ ଅନେକ ପ୍ରତିବାଦ କରିଥିଲେ ହେଲେ କେହି କର୍ଣ୍ଣପାତ କରିନଥିଲେ । ବିନା କୌଣସି କାର୍ଯ୍ୟ ଫଳକରେ କାର୍ଯ୍ୟ ତରବରିଆ ଭାବେ ସମାପ୍ତ କରାଯାଇଛି। ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ଖରାପ ନିର୍ମାଣର ପ୍ରମାଣ ଦେଖିବାକୁ ମିଳୁଛି, ଯାହା ଯାତାୟାତକୁ ବିପଦଜନକ କରିଛି। ଲୋକମାନେ ଦାବି କରିଛନ୍ତି ଯେ, ଏହି କାମର ଗୁଣବତା ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ।
ସ୍ଥାନୀୟ ପ୍ରଶାସନଙ୍କ ଧ୍ୟାନ ଆକର୍ଷଣ ପାଇଁ ଲୋକମାନେ ଏହାକୁ ଏକ ଗୁରୁତର ସମସ୍ୟା ଭାବେ ଉଠାଇଛନ୍ତି। ଶୀଘ୍ର ରାସ୍ତାର ପୁନଃମରାମତି ଓ ଉଚ୍ଚ ମାନର କାମ କରାଯିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ