
ଜୟପୁର, ୧୧ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ନିକଟରେ କନିଷ୍ଠ ଖଣି ଅଧିକାରିଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଥିବା ଜଣାଯାଇଛି । ଏନେଇ ଜୟପୁର ସଦର ଥାନାରେ କନିଷ୍ଠ ଖଣି ଅଧିକାରି ପ୍ରଦିପ୍ତ କୁମାର ମୁଣ୍ଡା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l
ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ସାନ ଓଜେଇ ଗ୍ରାମରେ ଥିବା ତ୍ରିଶକ୍ତି ଷ୍ଟନ କ୍ରସରକୁ ଯାଇ ଫେରୁଥିବା ସମୟରେ ବାଲିଆ ବ୍ରିଜରେ ଏକ ନିଳ ରଙ୍ଗର ଟ୍ରାକ୍ଟର ନମ୍ବର ଓଡି ୧୦ଏବି ୩୫୮୯ ରେ ବାଲି ଲୋଡ କରାଯାଉଥିଲା । ବେଆଇନ ଭାବେ ଲୋଡ କରି ଚାଲାଣ କରୁଥିବାରୁ ଖଣି ଅଧିକାରି ଜଣକ ଟ୍ରାକ୍ଟର ଡ୍ରାଇଭରକୁ ପଚାରିଥିଲେ । ଡ୍ରାଇଭର ଜଣକ ମାଲିକକୁ ସୂଚନା ଦେବା ପରେ ୨୦ ମିନିଟ ଭିତରେ ଟ୍ରାକ୍ଟର ମାଲିକ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଖଣି ଅଧିକାରି ଲାଇସେନ୍ସ ମାଗିବାରୁ ଡ୍ରାଇଭର ଜଣକ ଦେଖାଇ ପାରି ନଥିଲେ । ମାଲିକଙ୍କ ନିର୍ଦ୍ଦେଶରେ ଟ୍ରାକ୍ଟର ଧରି ଡ୍ରାଇଭର ଚମ୍ପଟ ମାରୁଥିବା ବଳେ କେନାଲ ରୋଡ ମୁଖି ଖୁଡୁପି ପଟେ ଚାଲି ଯାଉଥିବା ସମୟରେ ଖଣି ଅଧିକାରି ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଖଣି ଅଧିକାରିଙ୍କ ଉପରେ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରୁଥିଲେ । ପରେ ଖଣି ଅଧିକାରିଙ୍କୁ ୫ ଜଣ ଅଭିଯୁକ୍ତ ମିଶି ଗାଡି ଚାବି ନେବା ସହ ଠେଲା ପେଲା କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ । ପରେ ୨ ଜଣ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ଖଣି ଅଧିକାରି ବର୍ତ୍ତୀ ଯାଇଥିଲେ । ଏନେଇ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି