
ନୂଆପଡା, ୧୧ ଏପ୍ରିଲ (ହି.ସ.)- ନୂଆପଡ଼ା ବ୍ଲକ ଆମନାରା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ ପାଇଁ ଉପନିର୍ବାଚନକୁ ନଜରରେ ରଖି ଆଜି ନୂଆପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡା ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାର ପ୍ରଣବ ପ୍ରକାଶ ସାହୁ ସହ ବିଭିନ୍ନ ରାଜନୈତିକ ପ୍ରତିନିଧି ଓ ପ୍ରଶାସନିକ-ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ।
ଉପ-ଜିଲ୍ଲାପାଳ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସହିତ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଦର୍ଶ ଆଚରଣବିଧି ପାଳନ ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପକ୍ଷ ସମ୍ମତି ଜଣାଇଥିଲେ। ଆସନ୍ତା ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କଡା କରାଯିବା ସହ ଅନିୟମିତତାକୁ ସହ୍ୟ କରାଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଭୋଟରଙ୍କୁ ଭୟଭୀତ କରିବା କିମ୍ବା ପ୍ରଲୋଭନ ଦେବାକୁ ରୋକିବା ପାଇଁ ଆବକାରୀ ବିଭାଗ ପକ୍ଷରୁ ଛାପାମାରି ଜାରି ରହିବ। ପ୍ରଚାର କାର୍ଯ୍ୟକଳାପରେ ନିୟମ ପାଳନ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରଚାର ବନ୍ଦ ଓ ରାତି ୮ଟା ପରେ ଲାଉଡସ୍ପିକର ବ୍ୟବହାର ନିଷେଧ କରାଯାଇଛି। ବୁଥ୍ ଦଖଳ ଭଳି କାର୍ଯ୍ୟକଳାପକୁ କଡା ଭାବରେ ରୋକାଯିବ ବୋଲି ସ୍ପଷ୍ଟ କରାଯାଇଛି। ସେହିପରି, ମତଦାନ କେନ୍ଦ୍ରରେ ପାଣି, ଛାୟା ଓ ପ୍ରଥମିକ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ମତଦାତାଙ୍କୁ ଶୀତଳ ସମୟରେ ଭୋଟ ଦେବାକୁ ପରାମର୍ଶ ଦିଆଯାଇଛି। ବୈଠକ ଶେଷରେ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ