


ସମ୍ବଲପୁର, ୧୧, ଏପ୍ରିଲ୍ (ହି.ସ.) ସମ୍ବଲପୁର ସଦର ସ୍ଥିତ ପରମାଣପୁର ମାଟିରେ ଜନ୍ମିତ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ୧୨୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ
ପରମାଣପୁର ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଡଃ ଶ୍ୟାମସୁନ୍ଦର ଧର, ମୁଖ୍ୟବକ୍ତା ଭାବେ ଡ଼. ସତ୍ୟ ନାରାୟଣ ଠାକୁର ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡଃ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସମ୍ବଲପୁର ପ୍ରେସ କ୍ଲବର ସାଧାରଣ ସମ୍ପାଦକ ତଥା ନିର୍ମାଲ୍ୟ ସାହିତ୍ୟ ସଂସଦ ସଭାପତି ଭବାନୀଶ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏତଦ୍ ବ୍ୟତୀତ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସମ୍ପର୍କୀୟ ଭାଇ ଜଗତେଶ୍ୱର ମିଶ୍ର ଏବଂ ପରିବାର ସଦସ୍ୟ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ। ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ପରମାଣପୁରରେ ଜନ୍ମଗ୍ରହଣ କରିଥିବା ନେଇ ଜଗତେଶ୍ୱର ମିଶ୍ର ସ୍ପଷ୍ଟ କରିଥିଲେ। ସୁଧାଂଶୁ ଶେଖର ମିଶ୍ର ମଧ୍ୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କର ପରମାଣପୁର ସହ ଜଡ଼ିତ ସମ୍ପର୍କ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭବାନୀଶ ଭୋଇ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ସ୍ମୃତି ରକ୍ଷା ସହ ତାଙ୍କର ଅନାଲୋଚିତ ବଳିଦାନ ଲୋକ ଲୋଚନକୁ ଆଣିବାକୁ ଆହ୍ୱାନ କରିଥିଲେ। ଅଧ୍ୟାପକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ୧୭ ବର୍ଷ କାରାବରଣ କରିବା ସମୟରେ ଅଧ୍ୟୟନ ହିଁ ତାଙ୍କୁ ପଣ୍ଡିତ ଭାବେ ପ୍ରତିଷ୍ଠିତ କରିପାରିଥିଲା ବୋଲି କହିଥିଲେ। ମୁଖ୍ୟ ବକ୍ତା ଡ଼. ସତ୍ୟ ନାରାୟଣ ଠାକୁର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କର ୧୭ ବର୍ଷ ବୟସରେ ସ୍କୁଲ ବର୍ଜନ ଠାରୁ ବିଧାୟକ ଭାବରେ ସଂଘର୍ଷର କାହାଣୀ ବଖାଣିବା ପରେ ତାଙ୍କର ଅପ୍ରକାଶିତ ୧୦ ଖଣ୍ଡ ପାଣ୍ଡୁଲିପି ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କରିବାକୁ ଦାବି କରିଥିଲେ। ମୁଖ୍ୟ ଅତିଥି ଡ଼. ଶ୍ୟାମ ସୁନ୍ଦର ଧର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଦେଶର ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ନିର୍ମାଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ସାହିତ୍ୟ ପତ୍ରିକା 'ନିର୍ମାଲ୍ୟ' ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଯୁବକ ସଂଘ ସଭାପତି ସବୀର ରଞ୍ଜନ ନାଥ ପରିଚାଳନା କରିଥିଲେ। ସଂଘର ସାଧାରଣ ସମ୍ପାଦକ ସରୋଜ କୁମାର ନାଥ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ନିରୁପମା ନାଥଙ୍କ ସଂଯୋଜନାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ଗୀତିକାର ବିଭୁତି ଭୂଷଣ ନାଥ ସଭାପତିତ୍ୱ କରିଥିଲେ। ଏଥିରେ ବିଶିଷ୍ଟ ଗାୟକ ମୋତିଲାଲ ଦୋରା, ବିଭୂତି ଭୂଷଣ ପଟ୍ଟନାୟକ, ତେଜରାଜ ନାୟକ, ସନ୍ତୋଷ ମିଶ୍ର, ତ୍ରୀବିକ୍ରମ ମାହାଣା, ବେଣୁଧର ନାଥ ସଙ୍ଗୀତ ପରିବେଷଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ପରମାଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ତପନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ତୃତୀୟ ଅଧିବେଶନରେ ସମ୍ବଲପୁରୀ କବିତା ପାଠ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା କବି ଓ କବୟତ୍ରୀ ମାନେ ସ୍ୱରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ କବୟତ୍ରୀ ସୁଷମା ପ୍ରଧାନ ସଂଯୋଜନା କରିଥିଲେ। ନିର୍ମାଲ୍ୟ ସାହିତ୍ୟ ସଂସଦ ସହଯୋଗରେ ଆୟୋଜିତ ଏହି ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନରେ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଯୁବକ ସଂଘର ସୁବ୍ରତ ଗାଆଣ, ଅଚ୍ୟୁତ ନାଥ, ଦେବବ୍ରତ ନାଥ,ବାପୁନୀ ପୃଷ୍ଟୀ, ଗୋପାଳ ବେହେରା, ସଞ୍ଜୟ ଗାଆଣ, ସଞ୍ଜୀବ ନାଥ, ମନୋଜ ନାଥ, ନିର୍ମାଲ୍ୟ ସାହିତ୍ୟ ସଂସଦ ସମ୍ପାଦକ ପ୍ରଦ୍ୟୁମ୍ନ ବିଶି, ବରିଷ୍ଠ ସଦସ୍ୟ ତ୍ରିଲୋଚନ ସାହୁ, ଲଲିତ ମୋହନ ପ୍ରଧାନ, ରାହାସ ବିହାରୀ ନାଥ, ମହେଶ୍ୱର ନାଏକ, ରାଜଲକ୍ଷ୍ମୀ ମିଶ୍ର, କୈଲାଶ ବାରିକ୍, କାହ୍ନୁ ଚରଣ ନାଥ, ଉମେଶ ମେହେର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ