


ବଲାଙ୍ଗିର, ୧୧ ଏପ୍ରିଲ୍ (ହି.ସ.) - ସମଗ୍ର ଦେଶରେ ଭିତିଭୂମୀ ନିର୍ମାଣ ଚାଲିଛି । ବଡବଡ ପ୍ରକଲ୍ପରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ହେଉଛି। ତେବେ ହଜାର ହଜାର ପ୍ରକଲ୍ପ ମଧ୍ୟରୁ କିଛି ପ୍ରକଲ୍ପ ସଠିକ ସମୟରେ ସଠିକ ଢଙ୍ଗରେ କାମ ସରୁଛି। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ସିଆଇଡିସି ପକ୍ଷରୁ ପୁରସ୍କୃତ କରାଯାଉଛି । ଭାରତର ୧୫୦୦ଟି ପ୍ରକଲ୍ପ କୁ ଚୟନ କରାଯାଇ ଉତ୍କୃଷ୍ଟତା ପାଇଁ ବିଶ୍ୱକର୍ମା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଓଡିଶାର ୧୭ ଟି ପ୍ରକଲ୍ପ ବିଶ୍ୱକର୍ମା ପୁରସ୍କାର ପାଇ ଚଳିତବର୍ଷ ଇତିହାସ ସୃଷ୍ଟି କରିଛି । ତେବେ ସବୁଠୁ ଖୁସିର ଖବର ହେଲା କେବିକେ ଅଂଚଳର ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ମେଡିକାଲ କଲେଜରେ ପୂର୍ତବିଭାଗ ପକ୍ଷରୁ ନବନିର୍ମିତ କ୍ୟାନସର ହସପିଟାଲ ବିଲଡିଂ ଓ ଜଳସେଚନ ବିଭାଗର ଲୋୟରସୁକତେଲ ପ୍ରକଲ୍ପ ମଧ୍ୟ ପୁରସ୍କୃତ ହୋଇଛି । ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି ଓ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କନଷ୍ଟ୍ରକନ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ନୂଆଦିଲ୍ଲୀର ଜନପଥରେ ଥିବା ଡ.ବିଆର ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟରରେ ଶୁକ୍ରବାର ଦିନ ଆୟୋଜିତ ଏକ ଭବ୍ୟକାର?୍ୟ୍ୟକ୍ରମରେ ରୋଡ ,ଟ୍ରାନ୍ସପୋର୍ଟ ଓ ହାଇୱେ ବିଭାଗର କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେଠାରେ ଓଡିଶାର ୧୭ଟି ପ୍ରକଲ୍ପକୁ ଉତ୍କଳମଣ୍ଡପ ଗ୍ୟାଲେରୀ ରେ ପ୍ରଦର୍ଶିତ କରାଯାଇଥିଲା । ୧୭ଟି ପ୍ରକଲ୍ପ ମଧ୍ୟରେ ଜଳସେଚନ ବିଭାଗର ବଲାଙ୍ଗୀରର ଲୋୟରସୁକତେଲ ପ୍ରକଲ୍ପ, ଭଞ୍ଜନଗର ଡେମ,ବିଜେପୁରର ଗଙ୍ଗାଧର ମେହେର ପ୍ରକଲ୍ପ, ମାଧବଭିଡା ଆନିକଟ, ପୁରୁଣାଗଡ ମେଗାଲିଫ୍ଟ, ପୂର୍ତବିଭାଗର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ନୂଆ କ୍ୟାନସର ବିଲଡିଂ ପ୍ରକଲ୍ପ, ଭୁବନେଶ୍ୱରର ଲୋକାୟୁକ୍ତ ଭବନ, ଯାଜପୁରର ନୂଆ ମାତୃ ଓ ଶିଶୁ ହସପିଟାଲ ବିଲଡିଂ,ଓଡିଶା ଷ୍ଟେଟ ହାଉସିଂ କର୍ପୋରେସନର ନିର୍ମାଣାଧିନ ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀର ହଷ୍ଟେଲବିଲଡିଂ ସମେତ ଭୁବନେଶ୍ୱରର ଦ ସଟଲ ସ୍ପୋର୍ଟସ ଇନଫ୍ରା ଷ୍ଟ୍ରକଚର, ଭୁବନେଶ୍ୱର ଏମ୍ସର ପ୍ରଶାସନିକ ବିଲଡିଂ, ସମ୍ବଲପୁର ଆଇଆଇଏମ ବିଲଡିଂ ଓ କୋରାପୁଟ ର ଜାତୀୟ ରାଜପଥ, ଭୁବନେଶ୍ୱର ରିଜର୍ଭବ୍ୟାଙ୍କର ନୂଆ ଡାଟା ସେଂଟର ବିଲଡିଂ ପୁରସ୍କୃତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଗର ଇଂ.ଲିଙ୍ଗରାଜ ଗୌଡ,ପୂର୍ତବିଭାଗର ଇଂ.ମନୋଜକୁମାର ମହାନନ୍ଦ ,ଇଂ.ଆଶୁତୋଷ ଜେନା, ଇଂ.କମଲ କୁମାର ସ୍ୱାଇଁ ଓ ଧିରଜକୁମାର ପଟ୍ଟନାୟକ ଯୋଗଦେଇ ଜଳସେଚନ ବିଭାଗ, ପୂର୍ତବିଭାଗ ଓ କ୍ରୀଡାବିଭାଗ ପକ୍ଷରୁ ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଠିକ ସେହିପରି ଏହି ପ୍ରକଲ୍ପ ଗୁଡିକୁ ନିର୍ମାଣ କରିଥିବା ନିର୍ମାଣକାରୀ ସଂସ୍ଥା ଆଇରନ ଟ୍ରିଙ୍ଗଲ, ଆଦିତ୍ୟ ନାରାୟଣ କନଷ୍ଟ୍ରକ୍ସନ,ଏସପିଡି କନଷ୍ଟ୍ରକ୍ସନ ସଂସ୍ଥା ମଧ୍ୟ ଉତ୍କୃଷ୍ଟନିର୍ମାଣ ପାଇଁ ପୁରସ୍କୃତ ହୋଇଥିଲେ। ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ୱାଳ ଓ ଡିନ ଡ.ଦିଲିପ ପରିଡା ଏମ୍ସର ନୂତନ ଏକାଡେମିକ ବିଲଡିଂପାଇଁ ଓ ଏନବିସିସିର ଜେନେରାଲ ମ୍ୟାନେଜର ଇଂ.ଚିନ୍ମୟ ଘୋଷ ସମ୍ବଲପୁର ଆଇଆଇଏମ ବିଲଡିଂ ପାଇଁ ବିଶ୍ୱକର୍ମା ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଏମ୍ସ ଭୁବନେଶ୍ୱର ଓ ସିଆଇଡିସି ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଥିଲା । ଠିକ ସେହିପରି ଅଣ୍ଡର ଇଣ୍ଡଷ୍ଟ୍ରି କେପଟେନ କେଟେଗୋରୀ ରେ ଅର୍କିଟେକ୍ଟ ତାରାପ୍ରସାଦ ଧଳ ଓ ଇଂ.ଅଶୋକକୁମାର ବାସା ମଧ୍ୟ ବିଶ୍ୱକର୍ମା ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଡ.ସୁଭାଷ ରସ୍ତୋଗୀ ଓ ଇଂ.ମନୋରଂଜନ ମିଶ୍ରଙ୍କ ଦ୍ୱାରା ଲିଖିତ “ଲିନ କନଷ୍ଟ୍ରକ୍ସନ ଫର ସୁପରିଅର ପ୍ରୋଜେକ୍ଟ ପରଫର୍ମେନ୍ସ” ପୁସ୍ତକକୁ ଜୁରିମେମ୍ବର ମାନେ ଉନ୍ମୋଚନ କରିଥିଲେ । ଆଇଆଇପିଏ ନୂଆଦିଲ୍ଲୀର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ଜୁରି ପେନାଲିଷ୍ଟ ଶ୍ରୀ ଏସ.ଏନ.ତ୍ରୀପାଠୀ ଯୋଗଦାନ କରି ପୁରସ୍କୃତ ହୋଇଥିବା ଟିମ ଓଡିଶାଙ୍କୁ ଉତ୍ସାହିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ