
ଝାରସୁଗୁଡା, ୧୧ ଏପ୍ରିଲ୍ (ହି.ସ.)- ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଓ ନିର୍ବାଚନ ସାକ୍ଷରତା କ୍ଲବର ଯୁଗ୍ମ ସହଭାଗିତାରେ “ମହିଳା ସଂରକ୍ଷଣ ଆଇନ ଉପରେ ଜନମତ” ବିଷୟରେ ଏକ ସ୍ୱତନ୍ତ୍ର ବକ୍ତୃତା ଆଲୋଚନାଚକ୍ର ସଫଳତାର ସହ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ରାଜନୀତି ବିଜ୍ଞାନର ଅଧ୍ୟାପକ ତପନ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ବିଭାଗମୁଖ୍ୟ ଅଧ୍ୟାପକ ରକି ବିଶ୍ୱାଲ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଆଲୋଚନାଚକ୍ରରେ ଲଇଡା ପି.ଏସ. କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦର ବାଗ୍ମୀ ଛାତ୍ର କୈଳାସ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇ ତାଙ୍କର ସୁଦୃଢ଼ ଓ ତଥ୍ୟସମୃଦ୍ଧ ଆଲୋଚନାରେ ମହିଳା ସଂରକ୍ଷଣ ଆଇନର ବିଭିନ୍ନ ପର୍ଯ୍ୟାୟକୁ ଆଲୋଚନା କରିଥିଲେ। ସେ ଜନମତ ଗଠନରେ ଗଣମାଧ୍ୟମ, ଶିକ୍ଷା ଓ ସାମାଜିକ ସଂସ୍ଥାମାନଙ୍କ ଭୂମିକା ଉପରେ ମତ ପ୍ରକାଶ କରିବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଅନ୍ତର୍ଭୁକ୍ତ ପ୍ରତିନିଧିତ୍ୱର ଗୁରୁତ୍ୱ ଉପରେ ମତ ଦେଇଥିଲେ।
ପରବର୍ତ୍ତୀ ପର୍ଯ୍ୟ।ୟରେ ଆୟୋଜିତ ଖୋଲା ଆଲୋଚନା ଅଧିବେଶନରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ମହିଳା ସଂରକ୍ଷଣର ଆବଶ୍ୟକତା ଓ ପ୍ରଭାବ ବିଷୟରେ ନିଜ ମତ ପ୍ରକାଶ କରିଥିଲେ। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲିଙ୍ଗ ସମାନତା ଓ ରାଜନୈତିକ ସଚେତନତାର ଉଚ୍ଚ ସ୍ତରକୁ ପ୍ରତିଫଳିତ କରିଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକ ତପନ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ରାଜନୀତି ଓ ନିଷ୍ପତ୍ତି ଗ୍ରହଣରେ ମହିଳାଙ୍କ ଅଧିକ ଅଂଶଗ୍ରହଣ ପାଇଁ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏବଂ ସମାନ ଓ ସନ୍ତୁଳିତ ବିକାଶରେ ଏହାର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ।
ଏହି ଅବସରରେ ଅଧ୍ୟାପିକା ପୂଜା ଶାହା, ସ୍ଵାଗତିକା ବାରିକ,ପ୍ରାଧ୍ୟାପକ ବ୍ରଜେଶ ସାହୁ, ଡ.ସ୍ଵର୍ଣ୍ଣମୟୀ ପୁରୋହିତ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରିଥିଲା। ଶେଷରେ ଅଧ୍ୟାପିକା ଡ଼. ସୁଚରିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ