
ଯାଜପୁର, ୧୧ଏପ୍ରିଲ(ହି.ସ.) - ଶୁକ୍ରବାର ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଗୋଚାଲାଣ ଗାଡ ଯାଉଥିବାର ଗୋସୁରକ୍ଷା କର୍ମୀମାନେ ଜାଣିବାକୁ ପାଇଥିଲେ । ତେବେ ସେମାନେ ପ୍ରଥମେ ବାଲିଚନ୍ଦ୍ରପୁର,ବଡଚଣା ଓ ଧର୍ମଶାଳା ଥାନାକୁ ସୂଚନା ଦେଇଥିଲେ । ହେଲେ ଏହି ୩ଟି ଥାନା ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲେ । ଯାହାକି ସେମାନେ କୁଆଖିଆ ଥାନାକୁ ଜଣାଇଥିଲେ । ବାଲିଚନ୍ଦ୍ରପୁର ଚାରିନଙ୍ଗଳ ଅଂଚଳରୁ ଏକ ୧୬ଚକିଆ ଟ୍ରକ ଗୋରୁ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ବେଳେ କୁଆଖିଆ ଥାନା ହାବୁଡରେ ପଡି ଯାଇଥିଲେ । ଏହି ୧୬ଚକିଆ ଟ୍ରକରେ ୩୪ଟି ଗୋରୁ ଥିବା ଜଣାପଡିଥିଲା । ତାହା ସହିତ ୧୦ଟନରୁ ଉର୍ଦ୍ଧ ଗୋ ଚମଡା ନେଇ ଯାଇଥିବା ଏକ ଆଇଚା ଟ୍ରକକୁ ମଧ୍ୟ ଜବତ କରାଯାଇଛି। ୧୬ଚକିଆ ଟ୍ରକର ଡ୍ରାଇଭରକୁ ଥାନାରେ ଅଟକ ରଖା ଯାଇ ପଚରାଉଚୁରା ଜାରି ରହିଥିବା ଜଣାପଡିଛି । ୩୪ଟି ଗୋରକୁ ସଂସ୍କାର ଗୋଶାଳାରେ ଛାଡି ଦିଆ ଯାଇଥିବା ଜଣାପଡିଛି । ସେପଟେ ଏହି ଗାଡିକୁ ସୁରକ୍ଷାରେ ନେଇ ଯାଉଥିବା ଏକ ନାଲି ରଂଗର ମହିନ୍ଦ୍ରା କ୍ୟୁୟୁଭ( ଓଡି୦୫ ବି ୬୦୨୫)ଟି ଗାଡି ଜବତ ହେବା ଖବର ଜାଣିବା ପରେ ଘଟଣାସ୍ଥଳରୁ ଫେରାର ହେବା ସମୟରେ ପୁଲିସ ସେମାନଙ୍କୁ ପିଛା କରିଥିଲା । ମହିନ୍ଦ୍ରା କାରଟି ଜାରକା ଅଂଚଳ ଦେଇ ବ୍ରହ୍ମବରଦା ନଦୀ ବନ୍ଧ ଉପରେ ଯାଉ ଥିଲା । ବ୍ରହ୍ମବରଦା ହାଟ ନିକଟସ୍ଥ ନଦୀ ବନ୍ଧ ଉପରେ କିଛି ଯୁବକ ମର୍ଣ୍ଣିୱାର୍କ କରୁଥିବା ବେଳେ ଗାଡିଟି ରହି ଯାଇଥିଲା । ପଛ ପଟୁ ପୁଲିସ ଆସୁଥିବା ଜାଣି ଗାଡିରେ ଚାଳକଙ୍କ ସମେତ ମୋଟ ୬ଜଣ ବନ୍ଧୁକ ଦେଖାଇ ଫାଇରିଂ କରିବାକୁ ଉଦ୍ୟମ କରିଥିଲେ । ବନ୍ଧୁକ ଲକ୍ ହୋଇ ଯିବାରୁ ପୁଲିସ ହାବୁଡରୁ ବର୍ତିବା ପାଇଁ ସେମାନେ ଘଟଣାସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଥିଲେ । କୁଆଖିଆ ପୁଲିସ ଉକ୍ତ ଗାଡିକୁ ଜବତ କରି ବ୍ରହ୍ମବରଦା ଥାନାରେ ରଖି ଥିବା ଜଣାପଡିଛି । କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ବ୍ରହ୍ମବରଦା ଥାନାରେ ଜବତ ହୋଇଥିବା ଗାଡିକୁ ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି । ଏହି ଗାଡିଟି କଟକ ଅଂଚଳରୁ ଚୋରି ହୋଇଥିବା ବେଳେ ଗୋମାଫିଆମାନେ ଉକ୍ତ ଗାଡିକୁ ବ୍ୟବହାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ