କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର, 12 ଏପ୍ରିଲ୍ (ହି.ସ.) ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା ଓ ନୂତନତ୍ବର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ, ଆଜି ମୁଖ୍ୟ ଅତିଥ
Cm join govt engineering


କେନ୍ଦୁଝର, 12 ଏପ୍ରିଲ୍ (ହି.ସ.)

ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା ଓ ନୂତନତ୍ବର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ, ଆଜି ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଛାତ୍ରଜୀବନର ସଂଘର୍ଷ ଦିନଗୁଡ଼ିକୁ ସ୍ମରଣ କରି କହିଥିଲେ ଯେ, ୧୯୯୫ ମସିହାରେ ଏହି ସଂସ୍ଥା ପ୍ରତିଷ୍ଠା ସମୟରୁ ଆଜି ପର୍ଯ୍ୟନ୍ତ ଏହା ଉତ୍ତର ଓଡ଼ିଶାର ଯୁବପିଢ଼ି ପାଇଁ ଆଶାର ପ୍ରତୀକ ରହିଛି। ମଧ୍ୟବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସତ୍ୱେ ଲୋକମାନଙ୍କର ସମୁହ ଉଦ୍ୟମ ଓ ସଂକଳ୍ପ ଦ୍ୱାରା ୨୦୦୧ ମସିହାରେ ଏହି ସଂସ୍ଥା ପୁନଃଜୀବନ ଲାଭ କରିଥିଲା, ଯାହା ଏକତା ଓ ଦୃଢ଼ ସଙ୍କଳ୍ପର ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ମହାବିଦ୍ୟାଳୟରୁ ପ୍ରାୟ ୬୫୦୦ ରୁ ଅଧିକ ଛାତ୍ରଛାତ୍ରୀ ଦେଶ-ବିଦେଶରେ ସଫଳତାର କାର୍ଯ୍ୟ କରୁଛନ୍ତି। ପ୍ଲେସମେଣ୍ଟ ବ୍ୟବସ୍ଥା ସନ୍ତୋଷଜନକ ହେବା ସହିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ପ୍ରିୟାଂଶୁ ପାଲ୍ ଙ୍କ ସଫଳତାକୁ ସେ ମହାବିଦ୍ୟାଳୟର ଗୌରବ ବୋଲି କହିଥିଲେ।ଏହି ପରିପ୍ରେକ୍ଷିତରେ ଜିସିଇକୁ ଏକ “ଉତ୍କର୍ଷ କେନ୍ଦ୍ର” ଭାବେ ଘୋଷଣା କରି ସେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚତରର ଗବେଷଣା ଓ ଦକ୍ଷତା ବିକାଶରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ ଯେ, ଗତ ଦୁଇ ବର୍ଷରେ ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କାର ବିନିଯୋଗ ହୋଇଥିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ଶିଳ୍ପକୁ ଆଧାର କରି ଓଡ଼ିଶା ଏବେ ରାଜ୍ୟର ଯୁବପିଢ଼ିମାନଙ୍କ ପାଇଁ ଏକ ଆକର୍ଷଣ କେନ୍ଦ୍ର ଭାବେ ଉଭା ହେଉଛି ।

ସେ ଆହୁରି କହିଥିଲେ ଯେ, ଇଞ୍ଜିନିଅରିଂ ଓ ମେଡିକାଲ ଶିକ୍ଷାରେ ଆଦିବାସୀ, ଦଳିତ ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବୃଦ୍ଧି କରାଯାଇଛି, ଯାହା ରାଜ୍ୟରେ ପଛୁଆ ବର୍ଗଙ୍କ ଶିକ୍ଷାର ବିକାଶକୁ ସୁନିଶ୍ଚିତ କରିବ। ସେ ଉଲ୍ଲେଖ କରିଥିଲେ ଯେ,ପରମାଣୁ ଆଧାରିତ ଶକ୍ତି ଉତ୍ପାଦନରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଓଡ଼ିଶାରେ ପ୍ରଚୁର ଥୋରିଅମ୍ ସମ୍ପଦ ଥିବାରୁ ଭବିଷ୍ୟତରେ ଏଠାରେ ପରମାଣୁ ଶକ୍ତି କେନ୍ଦ୍ର ପ୍ରତିଷ୍ଠାର ଉଜ୍ଜ୍ୱଳ ସମ୍ଭାବନା ରହିଛି।

ଯୁବବର୍ଗଙ୍କୁ ଉପଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “କେବଳ ଚାକିରି ଖୋଜୁଥିବା ଆଶାୟୀ ନୁହେଁ, ଚାକିରି ସୃଷ୍ଟି କରୁଥିବା ମଣିଷ ହୁଅନ୍ତୁ”। ଇନୋଭେସନ ଓ ଏଣ୍ଟ୍ରପ୍ରିନ୍ୟୋର୍ସିପ୍ ଦ୍ୱାରା ନୂତନ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ କରିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା ନିର୍ଣ୍ଣାୟକ ବୋଲି ସେ କହିଥିଲେ।

ଏହି ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ

, ପାଟଣା ବିଧାୟକ ଶ୍ରୀ ଅଖିଳ ଚଦ୍ର ନାଏକ, ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ,ବିପିୟୁଟି କୂଳପତି ପ୍ରଫେସର ଅମୀୟ କୁମାର ରଥ , ଗଭର୍ଣ୍ଣିଙ୍ଗ ବଡି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସେନାପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande