
କେନ୍ଦୁଝର, ୧୨ ଏପ୍ରିଲ୍(ହି.ସ.) – ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ସିଏମ୍ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ଆଜି ତୃତୀୟ ଦିବସର ପ୍ରଥମ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୯-୦ ଗୋଲରେ ବିପୁଳ ବିଜୟ ହାସଲ କରି ପୁରା ପଏଂଟ ହାସଲ କରିଛି। ପ୍ରାଥମକ୍ଷର୍ଦ୍ଧ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ୬ଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟାର୍ଦ୍ଧ ଖେଳରେ ୩ଟି ଗୋଲ ସ୍କୋର କରିଥିଲେ। ଦଳ ପକ୍ଷରୁ ସ୍ୱପ୍ନା ଭୂୟାଁ ୩ଟି, ଇତିଶ୍ରୀ ନାଏକ ୨ଟି ସୁବର୍ଣ୍ଣିକା ଚମ୍ପିଆ ୨ଟି ଏବଂ ଅନନ୍ୟା ଟପ୍ପୋ ଓ ପୁର୍ଣିମା ଲୋହାର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।
ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ଆର୍ଏମ୍ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୭-୦ ଗୋଲରେ ବିପୁଳ ବିଜୟ ଲାଭ କରି ପୁରା ପଏଂଟ ହାସଲ କରିଛି। ଟିଏସ୍ଏଫ୍ ପ୍ରଥମକ୍ଷର୍ଦ୍ଧରେ ୪ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ସ୍କୋର କରିଥିଲେ। ଆଜି ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ସହ ଉଭୟ ଦଳର ଖେଳାଳୀମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା। ଆଜିର ପ୍ରଥମ ଖେଳରେ ଦଶମନ୍ତ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ଯୋଗେନ୍ଦ୍ର ମାଝୀ। ଚତୁର୍ଥ ରେଫରୀ ଥିଲେ ବିଜୟ ମୁଣ୍ଡା। ସେହିପରି ଦ୍ୱିତୀୟ ଖେଳରେ ପ୍ରମୋଦ ଟୁଡୁ ରେଫରୀ ଦାୟିତ୍ୱ ତୁଲାଇଥିବାବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ଯୋଗେନ୍ଦ୍ର ମାଝୀ। ଚତୁର୍ଥ ରେଫରୀ ଥିଲେ ବିଜୟ ମୁଣ୍ଡା। ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA