
ବଲାଙ୍ଗିର, 12 ଏପ୍ରିଲ୍ (ହି.ସ.)
ସାଧାରଣ ଜନଜୀବନର କଥାକହେ ନାଟକ, ଗୋଟିଏ ସମୟରେ ଶିକ୍ଷା, ସଚେତନତା ଓ ମନୋରଞ୍ଜନର ମାଧ୍ୟମ ଥିଲା ନାଟକ। ଜଣେ କଳାକାର ବା ନିର୍ଦ୍ଦେଶକ ନିଜ ଅଞ୍ଚଳର ଲୋକଙ୍କ ରୁଚି, ଲୋକଚଳଣି ଓ ସାମାଜିକ ବିଷୟବସ୍ତୁକୁ ନେଇ ନାଟକ ପରିବେଷଣ କରୁଥିଲା। ସମୟକ୍ରମେ ଦର୍ଶକଙ୍କ ରୁଚି ବଦଳି ଥିଲେ ମଧ୍ୟ ନାଟକ ପ୍ରତି ଦର୍ଶକଙ୍କ ଭଲ ପାଇବା କମିନାହିଁ, ଖାଲି କଳାକାର ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ସମର୍ଥ ହେବା ଆବଶ୍ୟକ। ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ 'ରଚନା'ର ଏମାସର ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ବଲାଙ୍ଗିରର ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ରାମଚନ୍ଦ୍ର ସାହୁ ଯୋଗଦେଇ ଏହି ମତ ରଖିଛନ୍ତି।
ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ 'ରଚନା'ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ନାଟ୍ୟକାର ରାମଚନ୍ଦ୍ର ସାହୁଙ୍କ ସହ ଏକ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 'ରଚନା'ର ବରିଷ୍ଠ ସଦସ୍ୟ ତଥା କବି ଓ କଳାକାର ବିଜୟ କୁମାର ତ୍ରିପାଠୀ ଏହି ଆଳାପରେ ଭାଗ ନେଇ ଶ୍ରୀଯୁକ୍ତ ସାହୁଙ୍କ ବଲାଙ୍ଗିର ମାଟିରୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ଏବଂ ବଲିଉଡ କଳାକାରମାନଙ୍କ ସହିତ ଅଭିନୟ ସମୟରେ ତାଙ୍କ ଅନୁଭୂତି କିପରି ଥିଲା ପଚାରିଥିଲେ। ଶ୍ରୀଯୁକ୍ତ ସାହୁ ନିଜର ସ୍ମୃତି ଅନୁଭୂତି କହିବା ସହ ବଲାଙ୍ଗିର ମାଟିର ପ୍ରାଚୀନ ରାମଲୀଳା, ଚଳଚିତ୍ର ଏବଂ ପ୍ରାୟ ଶହେଟି ମଞ୍ଚ ନାଟକରେ ରଙ୍ଗ ମାଖି ଅଭିନୟ କରିବା ସମୟରେ ନିଜକୁ କିପରି ଚରିତ୍ର ସହିତ ମିଶାଇ ରଖୁଥିଲେ ବର୍ଣ୍ଣନା କରି ନୂଆ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସାହୁଙ୍କ ଧର୍ମପତ୍ନୀ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ରୋମା ସାହୁ ଏବଂ ବଲାଙ୍ଗିରର ଅନେକ ମଞ୍ଚ କଳାକାର, ଅଭିନେତା, ସଂସ୍କୃତିପ୍ରେମୀ, ନାଟ୍ୟ ନିର୍ଦ୍ଦେଶକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ରଚନାର ସହସମ୍ପାଦକ ରତ୍ନମୟ ତ୍ରିପାଠୀ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ