
ଜୟପୁର, ୧୨ ଏପ୍ରିଲ୍ (ହି.ସ.)- ଜୟପୁର ଯାଦବ ଭବନ ଠାରେ ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟିର ବୈଠକ ନଳିନୀ କାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଉପସ୍ଥାପନ କରି ସଭାପତି କହିଛନ୍ତି ଯେ , ଦୀର୍ଘ ୨୦୧୮ ମସିହାରୁ ଇପିଏସ୍ -୯୫ ପେନସନଭୋଗୀ ମାନଙ୍କୁ ମାସିକ ସର୍ବନିମ୍ନ ୯୦୦୦/ ଟଙ୍କା ସହ ମହଙ୍ଗା ଭତ୍ତା ଯୋଡ଼ିବା ଏବଂ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବସ୍ଥା କରିବା ପାଇଁ ଦାବି କରି ଦିଲ୍ଲୀର ଯନ୍ତର ମନ୍ତର ଠାରେ କ୍ରମାଗତ ଧାରଣା ଜାରି ରହିଛି। କେନ୍ଦ୍ରୀୟ ଏବଂ ରାଜ୍ୟ କମିଟି ପରବର୍ତ୍ତୀ ଆନ୍ଦୋଳନ ପନ୍ଥା ଘୋଷଣା କଲେ ତାକୁ ପାଳନ କରାଯିବ । ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ଚାଲିଥିବା ନିର୍ବାଚନରେ ଶାସକ ବିଜେପି ଓ ଅନ୍ୟ ଦଳ ମାନେ କ୍ଷମତାକୁ ଆସିଲେ ପ୍ରତି ଘର ମହିଳା ମାନଙ୍କୁ ୩୦୦୦/ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେବା ପାଇଁ ଘୋଷଣା କରିଛନ୍ତି । କେତେକ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ମାସିକ ୩୦୦୦/- ଟଙ୍କାରୁ ଅଧିକ ଦିଆଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ ଯେଉଁ ଶ୍ରମିକ କର୍ମଚାରୀ ମାନେ ଚାକିରୀ କାଳ ଭିତରେ ପ୍ରୋଭିଡେଣ୍ଟ ଫଣ୍ଡ କୁ ପ୍ରତି ମାସରେ ହଜାର ହଜାର ଟଙ୍କା ଦୀର୍ଘ ୩୦/ ୪୦ ବର୍ଷ ଧରି ଦେଇ ଆସିଛନ୍ତି ସେମାନଙ୍କୁ ମାତ୍ର ତିନିରୁ ଚାରି ହଜାର ଟଙ୍କା ପେନସନ ମିଳୁଛି । ପେନସନ ପାଣ୍ଠିରେ ଲକ୍ଷ ଲକ୍ଷ କୋଟି ଟଙ୍କା ରହିଛି, ଅଥଚ କେନ୍ଦ୍ର ର ନରେନ୍ଦ୍ର ମୋଦୀ ସରକାର ଦେଶର ସତୁରୀ ଲକ୍ଷ ପେନସନ ଭୋଗୀଙ୍କୁ ଅଣଦେଖା କରି ଆସୁଛି । ଜନ ଆନ୍ଦୋଳନ ହିଁ ମୋଦୀ ସରକାରକୁ ବାଧ୍ୟ କରିବ ଦାବି ଶୁଣିବା ପାଇଁ । ଏଣୁ ସ୍ଥାନୀୟ ଅଞ୍ଚଳର ପେନସନଭୋଗୀ ମାନେ ଅଧିକରୁ ଅଧିକ ଏକଜୁଟ ହେବା ଆଜିର ଆହ୍ବାନ । ସଭ୍ୟ ସଂଗ୍ରହ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନ୍ୟତମ ଉପଦେଷ୍ଟା ଯୁଧିଷ୍ଠିର ରାଉଳ ପରାମର୍ଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ ବେହେରା, ଉମାକାନ୍ତ ରଥ, ରାମକୃଷ୍ଣ ଦାସ, ଭାସ୍କର ମିଶ୍ର ପ୍ରମୁଖ ମତ ରଖିଥିଲେ । ଶେଷରେ କିଶୋର ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି