
ଝାରସୁଗୁଡ଼ା, ୧୨ ଏପ୍ରିଲ୍ (ହି.ସ.) - ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ସମୃଦ୍ଧ ସଂସ୍କୃତିର ମୂଳଦୁଆ ପକାଇଥିବା ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଅବସରରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବଜଙ୍କ ବୀରଗାଥା ଓ ତ୍ୟାଗକୁ ମନେ ପକାଯିବା ସହ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଶପଥ ଗ୍ରହଣ କରାଯାଇଛି। ଓଡ଼ିଆ ପକ୍ଷ ପାଳନର ଦ୍ୱାଦଶ ଦିବସକୁ ଜିଲ୍ଲାରେ ବନ୍ଦନୀୟ ବରପୁତ୍ର ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶାର ମାଟି, ଭାଷା ଏବଂ ସଂସ୍କୃତିର ଗୌରବମୟ ପରିଚୟ ଗଢ଼ିବାରେ ନିଜକୁ ଉତ୍ସର୍ଗ କରିଥିବା ମନୀଷୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସେମାନଙ୍କ ଅତୁଳନୀୟ ସାହସ ଓ ନିଷ୍ଠା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଅକ୍ଷୟ ଶକ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ବିଶେଷ କରି କାର୍ଯ୍ୟକ୍ରମରେ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଡେପୁଟି କଲେକ୍ଟର ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ହରେକୃଷ୍ଣ ବରିହା, ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ରୋହିତ କୁମାର ପଟେଲ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟା ଡ଼. ଶିବପ୍ରିୟା ମିଶ୍ର, ସୁରଙ୍ଗ ପଧାନ, ଉପ ସଭାପତି, ଜିଲ୍ଲା କଳା ସଂସ୍କୃତି ସଂଘ, ଝାରସୁଗୁଡା, ଡ଼. ସ୍ୱର୍ଣ୍ଣମୟୀ ପୁରୋହିତ, ଅଧ୍ୟାପିକା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡା ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟାନୁରାଗୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ