
ଭଦ୍ରକ, ୧୨ ଅପ୍ରେଲ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକ ନୂତନ ଭାବେ ଯୋଗଦେବାର ମାତ୍ର ୪ ଦିନ ହୋଇଥିବା ବେଳେ ତାଙ୍କୁ ଏକ ବଡ଼ ସଫଳତା ମିଳିବା ନେଇ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ତିହିଡି ଥାନାର ଅନତି ଦୂରରେ ଏକ ଭାଙ୍ଗ ଦୋକାନ ଲେଖାଯାଇ ଗଞ୍ଜେଇ ବିକ୍ରିକରା ଯାଉଥିବା ସମ୍ପର୍କରେ ବିଗତ ଥାନା ଅଧିକାରୀ ମାନେ ଦୋକାନୀ ଗଞ୍ଜେଇ ବିକ୍ରିକରୁଥିବା ଜାଣି ନଥିଲେକି ଜାଣିଶୁଣି ଚୁପ ରହିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।ତେବେ ନୂତନ ଆଇଆଇସି ଲୋପା ମୁଦ୍ରା ଭାଙ୍ଗ ଦୋକାନରୁ ଗଞ୍ଜେଇ ଜବତ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଦୋକାନ ବାହାରେ ସରକାରୀ ଭାଙ୍ଗ ଦୋକାନ ବୋଲି ସାଇନ ବୋର୍ଡ ଝୁଲୁଥିଲା । ହେଲେ ଦୋକାନରେ ବିକ୍ରି ହେଉଥିଲା ଗଞ୍ଜେଇ । ତିହିଡି଼ ଥାନା ଠାରୁ ମାତ୍ର ୫୦ମିଟର ଦୂରରେ ଦୀର୍ଘ ବର୍ଷ ଧରି ଏହି ବ୍ୟବସାୟ ଚାଲିଥିବା ବେଳେ ଶନିବାର ସନ୍ଧ୍ୟାରେ ତିହିଡି଼ ପୋଲିସ ଏହି ଦୋକାନ ଉପରେ ଚଢ଼ାଉ କରିଥିଲା । ତିହିଡି଼ ବଜାରରେ ଥିବା ଏହି ବେଆଇନ ଗଞ୍ଜେଇ ଦୋକାନରୁ ୧୬କିଗ୍ରା ୩୩୬ଗ୍ରାମ ଗଞ୍ଜେଇ ଓ ୪୫ହଜାର ୯୯୫ଟଙ୍କା ଜବତ କରାଯାଇଛି । ଏଥିସହ ପୋଲିସ ଜଣେ ଗଞ୍ଜେଇ ବିକ୍ରେତା ଦୋକାନୀ ଓ ତାଙ୍କର ୨ଜଣ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନେ ହେଉଛନ୍ତି ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହି ଗ୍ରାମର ମିର୍ଜା ଉରଫାନ ବେଗ, ସିରାଜ ଅଲ୍ଲୀ ଓ ତିହିଡି଼ ଥାନା ଅଧୀନ ମିର୍ଜାପୁର ଗ୍ରାମର ସୟଦ ଅଇରାଜ ବୋଲି ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଏସଆଇ ଦୀପ୍ତିମଞ୍ଜରୀ ବଡ଼ଜେନାଙ୍କ ରିପୋର୍ଟ କ୍ରମେ ପୋଲିସ ଏକ ମକଦ୍ଦମା (ନଂ ୧୧୪/୨୬)ରୁଜୁ କରିଛି । ଏସଡିପିଓ ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ , ଶନିବାର ସକାଳେ ପୋଲିସ ତିହିଡି଼ ବଜାରରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଭାଙ୍ଗ ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ । ପରେ ସେମାନେ ଏ ସମ୍ପର୍କରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ । ଆଇଆଇସି ନାୟକ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ସନ୍ଧ୍ୟାରେ ପୋଲିସ ସେହି ଦୋକାନ ଉପରେ ଚଢ଼ାଉ କରିଥିଲେ।ଗଞ୍ଜେଇ ଜବତ ସମୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ ଏସଆଇ ରୋଜନ ମୁର୍ମୁଙ୍କୁ ଦିଆଯାଇଛି । ଜବତ ଗଞ୍ଜେଇ ଓ ଟଙ୍କାକୁ କୋର୍ଟରେ ଦାଖଲ କରାଯିବ ବୋଲି ଏସଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ତେବେ ଥାନାରେ ନୂତନ ଆଇଆଇସି ନାୟକଙ୍କ ଏପରି ସାଫଳତାକୁ ତିହିଡି ଅଂଚଳର ଜନସାଧାରଣ ପ୍ରଶଂସା କରିଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ