
ନୂଆପଡ଼ା, ୧୩ ଏପ୍ରିଲ (ହି.ସ.)- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ଓଡ଼ିଆ ଖାଦ୍ୟର ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାମାନେ ମଧ୍ୟ ଆୟୋଜିତ ହୋଇଥିଲା। ସ୍ଥାନୀୟ ମହିଳାମାନେ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ପାରମ୍ପରିକ ପିଠାପଣା ଓ ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ଏଣ୍ଡୁରି ପିଠା, ଆରିଷା ପିଠା, ମାଣ୍ଡିଆ ପିଠା, ପୋଡ଼ ପିଠା, ଦହିବରା, ମାଣ୍ଡିଆ ସରବତ ପରି ବିଭିନ୍ନ ପାରମ୍ପରିକ ଖାଦ୍ୟ ପଦାର୍ଥ ଦେଖିବାକୁ ମିଳିଥିଲା, ଯାହା ଓଡ଼ିଆ ରନ୍ଧନ ଶୈଳୀର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରିଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ବିଡିଓ ରୋହିତ ଭୋଇ ଏବଂ ନୂଆପଡ଼ା ଏନଏସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ସହିତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏହା ସହିତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ମାନେ ଉତ୍ସାହର ସହ ଯୋଗଦେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଶେଷରେ ପ୍ରତିଯୋଗିତାର ବିଜେତାମାନେ ଏବଂ ପାରମ୍ପରିକ ପିଠା ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଆମେ ଆଧୁନିକ ଖାଦ୍ୟ ପରିବର୍ତ୍ତେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଅଧିକ ଗ୍ରହଣ କରିବା ଉଚିତ। ପାରମ୍ପରିକ ଖାଦ୍ୟ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଆଗାମୀ ପିଢ଼ିକୁ ଏହି ପାରମ୍ପରିକ ଖାଦ୍ୟର ମହତ୍ତ୍ୱ ଓ ଉପକାରିତା ବିଷୟରେ ସଚେତନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ନୂତନ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବାରେ ସହାୟତା ମିଳୁଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ନୂଆପଡା ବ୍ଲକ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଓ ଉପସ୍ଥିତ ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ