


ସମ୍ବଲପୁର, ୧୩, ଏପ୍ରିଲ୍ (ହି.ସ.) - ପବିତ୍ର ହନୁମାନ ଜୟନ୍ତୀ ଅବସରରେ ତ୍ରିମୁର୍ତି ପ୍ରଡ଼କ୍ସନ ପକ୍ଷରୁ ଶ୍ରୀରାମଙ୍କ ଉପରେ ଆଧାରିତ ଏକ ଭକ୍ତି ସଙ୍ଗୀତ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଶୁଭ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ କଣ୍ଠଶିଳ୍ପୀ ତ୍ରିଲୋଚନ ତ୍ରିପାଠୀଙ୍କ ସହ ପୂଜା ମୁଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି । ଗୀତିକାର ସନତ ମିଶ୍ର ଏହି ଭକ୍ତି ଗୀତ ଭଜୁ ଥିବୁରେ, ଜପୁ ଥିବୁରେ, ମନେ ମନେ ଗୁଟେ ନାଆଁ, ରାମ ରାମ ନାମ ବେଶ୍ ରୁଚି ଓ ଶ୍ରୃତିମଧୁର ହୋଇଛି । ଗୀତ ଟିକୁ ସଂଗୀତରେ ସଜାଇଛନ୍ତି ଏସ. ପି. ମ୍ୟୁଜିକ୍ । ଏହି ମ୍ୟୁଜିକ୍ ଆଲବମର ଶୁଭ ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର, ମୋତିଲାଲ ଦୋରା, ପ୍ରମୋଦ ମିଶ୍ର, ପ୍ରୟାଗ ରାଜ ବେହେରା, କଣ୍ଠଶିଳ୍ପୀ ପୂଜା ମୁଣ୍ଡା ଓ ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ ।
ଏହି ଅବସରରେ ନିଜ ବକ୍ତବ୍ୟରେ ଶ୍ରୀ ମିତ୍ର କହିଲେ ଯେ, ଆଜିକାଲିର ମାହୋଲରେ ଯେତେ ମାତ୍ରାରେ କଣ୍ଠଶିଳ୍ପୀ ମାନେ ସୃଷ୍ଟି ହେବା କଥା ତାହା ହୋଇପାରୁନାହିଁ । ବିଗତ ଦିନରେ ଆକାଶବାଣୀ ଏହାର ଏକ ମୁଖ୍ୟ ଆଧାର ଥିଲା, ଯେଉଁଠୁ କଳାକାର, କଣ୍ଠଶିଳ୍ପୀ ସୃଷ୍ଟି ହୋଇ ସମାଜରେ ପ୍ରତିଷ୍ଠିତ ହେଉଥିଲେ । ମାତ୍ର ଯେଉଁପରି ଭାବେ କଳାକାରଙ୍କ ପାଇଁ ଅଡିସନ ହେବା କଥା ତାହା ଏବେ ହେଉନାହିଁ । ଯଦ୍ୱାରା ଏହି ଭଳି ସମସ୍ୟା ସୃଷ୍ଟି ହେଉଛି ।
ଅନ୍ୟତମ ଅତିଥି ଶ୍ରୀ ଦୋରା କହିଲେ ଯେ, ନିୟମିତ ଭାବରେ ଶ୍ରୃତିମଧୁର ମ୍ୟୁଜିକ୍ ଆଲବମ ଗୀତ ଗୁଡି଼କ ରିଲିଜ୍ ହୋଇପାରିଲେ, ଅନେକ ଲୁକ୍କାୟିତ କଣ୍ଠଶିଳ୍ପୀ ଓ କଳାକାର ମାନେ ଲୋକ ଲୋଚନକୁ ଆସିବା ସହ ସମାଜରେ ପ୍ରତିଷ୍ଠିତ ହୋଇ ପାରନ୍ତେ । ଏହି ଅବସରରେ ଏକ ସ୍ୱତନ୍ତ୍ର ସଂଗୀତମୟ ପରିବେଶରେ ଉନ୍ମୋଚିତ ଭକ୍ତି ଗୀତ ଭଜୁ ଥିବୁରେ ଜପୁ ଥିବୁରେ ମନେ ମନେ ଗୁଟେ ନାଆଁ... ର ଅଡିଓ ଓ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । ଏହି ଗୀତଟିର ଭିଡିଓ ପ୍ରସ୍ତୁତିରେ ମାନସ ମିଶ୍ର ଓ ବି. ଶଙ୍କର ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ଗୀତଟି ଚିତ୍ରିତା ଏ. ଭି. ସ୍ଲ୍ୟୁସନ ରେ ରେକଡିଂ ହୋଇଥିଲା ଓ ରେକଡିଷ୍ଟ ଭାବେ ସୌରଭ ଛତ୍ରପାଲ କର୍ତବ୍ୟ ସମ୍ପାଦନା କରିଛନ୍ତି । ସୂଚନାଯୋଗ୍ୟ ଏହି ଗୀତଟି ଉଭୟ ମେଲ ଓ ଫିମେଲ ଭର୍ସନରେ ପ୍ରଯୋଜିତ ହୋଇଛି । ଏହି ଗୀତରେ ଭିଡିଓ ଭର୍ସନକୁ ଖୁବ ଶୀଘ୍ର ୟୁଟ୍ୟୁବରେ ରିଲିଜ୍ କରାଯିବ ବୋଲି କଣ୍ଠଶିଳ୍ପୀ ତ୍ରିଲୋଚନ ତ୍ରିପାଠୀ ସୂଚନା ଦେଇଛନ୍ତି । ଏକ ପବିତ୍ର ଦିନରେ ରିଲିଜ୍ ହୋଇଥିବା ଗୀତ ଭଜୁଥିବୁରେ ଜପୁଥିବୁରେ... ବହୁ ମାତ୍ରାରେ ଜନାଦୃତ ହେବ ବୋଲି ବିଭିନ୍ନ କଣ୍ଠଶିଳ୍ପୀ ମହଲରେ ଆଶା ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ