ଝାରସୁଗୁଡ଼ାରେ କିଶୋର କୁମାର ମହାନ୍ତିଙ୍କ ୬୮ତମ ଜନ୍ମଜୟନ୍ତୀରେ ସେବାମୂଳକ କାର୍ଯ୍ୟକ୍ରମ
ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.)- ମାଟିର ପୁଅ ଓ ପୂର୍ବତନ ବରିଷ୍ଠ ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ୬୮ତମ ଜନ୍ମଜୟନ୍ତୀ ଅବସରରେ ଝାରସୁଗୁଡ଼ା ଯୁବ ସଂଘ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ହୋଟେଲ ମୋହିନୀ ରୟାଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ
ଝାରସୁଗୁଡ଼ାରେ କିଶୋର କୁମାର ମହାନ୍ତିଙ୍କ ୬୮ତମ ଜନ୍ମଜୟନ୍ତୀରେ ସେବାମୂଳକ କାର୍ଯ୍ୟକ୍ରମ


ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.)- ମାଟିର ପୁଅ ଓ ପୂର୍ବତନ ବରିଷ୍ଠ ନେତା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ୬୮ତମ ଜନ୍ମଜୟନ୍ତୀ ଅବସରରେ ଝାରସୁଗୁଡ଼ା ଯୁବ ସଂଘ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ହୋଟେଲ ମୋହିନୀ ରୟାଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବୃନ୍ଦାମାଲସ୍ଥିତ ବିଶେଷ ବିଦ୍ୟାଳୟରେ ସାମୂହିକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରର ଉଦ୍ଘାଟନ କରିଥିଲେ। ଯୁବ ସଂଘର ସଦସ୍ୟ ଓ ସ୍ଥାନୀୟ ଲୋକମାନେ ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଜନ୍ମଜୟନ୍ତୀକୁ ପ୍ରତୀକାତ୍ମକ ରୂପ ଦେଇ ଏହି ରକ୍ତଦାନ ଶିବିରରୁ ମୋଟ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଝାରସୁଗୁଡ଼ା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି। ଏହି ଅବସରରେ ବରିଷ୍ଠ ରକ୍ତଦାତା ରମେଶ ଗାନ୍ଧୀ ଓ ତାପସ ରାୟ ଚୌଧୁରୀଙ୍କୁ ସଂଘର ସଭାପତି ପୁରୁଷୋତ୍ତମ ମହାନ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜଣାଇଥିଲା। ଏହି ଦୁଇ ଜଣ ଜୀବନରେ ୧୦୦ରୁ ଅଧିକ ଥର ରକ୍ତଦାନ କରିଥିବାରୁ ଯୁବପିଢ଼ୀ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ।

ଏହାସହ ବୃନ୍ଦାମାଲସ୍ଥିତ ମୂକ, ବଧିର ଓ ମାନସିକ ଅନଗ୍ରସର ବିଶେଷ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଯୁବ ସଂଘର ସଦସ୍ୟମାନେ ପିଲାମାନଙ୍କ ସହ ସମୟ କାଟି ସେମାନଙ୍କୁ ସେବା ଯୋଗାଇଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସମାଜସେବୀ ଓ ପ୍ରମୁଖ ବ୍ୟକ୍ତିତ୍ୱ ଯୋଗଦେଇ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କୁ ଜଣେ ଜନପ୍ରିୟ ଓ ସେବାମୂଳକ ନେତା ଭାବେ ସ୍ମରଣ କରିଥିଲେ। “ସ୍ୱର୍ଗତ ମହାନ୍ତିଙ୍କ ସେବା ଓ ଉନ୍ନୟନର ଆଦର୍ଶକୁ ଅଗ୍ରସର କରିବାରେ ଝାରସୁଗୁଡ଼ା ଯୁବ ସଂଘ ସଦା ପ୍ରତିବଦ୍ଧ,” ବୋଲି ସଭାପତି ପୁରୁଷୋତ୍ତମ ମହାନ୍ତି କହିଛନ୍ତି। ଶେଷରେ ସଂଘର ଆବାହକ ପଲାଶ କର୍ମକାର ସମସ୍ତ ରକ୍ତଦାତା, ଚିକିତ୍ସା ଦଳ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande