


ସୁବର୍ଣ୍ଣପୁର, ୧୩ ଏପ୍ରିଲ୍ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ତମାମରା ଗ୍ରାମ କାର୍ଯ୍ୟାଳୟ ପାର୍ଶ୍ଵ ସ୍ଥିତ ପ୍ରାଥମିକ ସେବା ସମବାୟ କେନ୍ଦ୍ର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଡଃ. ନୃପରାଜ ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ରଣା ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୩୩ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୦୬ଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୭ଟି ସାମୁହିକ ଦରଖାସ୍ତ ହସ୍ତଗତ ହୋଇଥିଲା। କେବଳ ଗୋଟିଏ ମାତ୍ର ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ ହସ୍ତଗତ ହୋଇଥିଲା ଏବଂ ଗୋଟିଏ ଦରଖାସ୍ତ ଅଭିଯୋଗ ଶୁଣାଣୀ ଶିବିରରେ ଫାଇସଲା କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡୁଙ୍ଗୁରିପାଲି ସଂଜୀବ କୁମାର ସାହୁଙ୍କ ତତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କାଳିଆ ମଲ୍ଲିକ, ଉପ ଜିଲ୍ଲାପାଳ, ସୋନପୁରଙ୍କ ପ୍ରତିନିଧି ସହକାରୀ ଜିଲ୍ଲାପାଳ, ଅଜିତ କୁମାର ତ୍ରିପାଠୀ, ଡେପୁଟି କଲେକ୍ଟର, ଅଭିଯୋଗ ଶୁଣାଣୀ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁଙ୍କ ସମେତ ତହସିଲଦାର, ବିମଳ କିଶୋର ପତ୍ର, ଊପାଧକ୍ଷ, ଡୁଙ୍ଗୁରିପାଲି ପଞ୍ଚାୟତ ସମିତି, ମକରଧ୍ବଜ ସାହୁ ସରପଞ୍ଚ, ତମାମରା ଗ୍ରାମ ପଞ୍ଚାୟତ, ଶ୍ରୀମତି ମିତା ତ୍ରିପାଠୀ ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ବୃନ୍ଦଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ।
ଯୁଗ୍ମ ଅଭିଯୋଗ ଶୁଣାଣୀ ପୂର୍ବରୁ ତମାମରା ଗ୍ରାମପଞ୍ଚାୟତ ଦ୍ଵାରା ଓଡ଼ିଆ ପକ୍ଷ ପାଳନ ଅବସରରେ ତମାମରା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ ଓ ଖାଦ୍ୟ ପରିବେଷଣ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଜିଲ୍ଲାପାଳ ଯୋଗଦାନ କରିଥିଲେ । ଏହା ପରେ ତମାମାରା ଗ୍ରାମପଞ୍ଚାୟତ ଦ୍ଵାରା ନୂତନ ଭାବେ ନିର୍ମିତ ମହିଳା ମାନଙ୍କ ବିଶ୍ରାମ ଗୃହ ଓ ସ୍ତନ୍ୟପାନ ଗୃହର ଶୁଭ ଉଦ୍ଘାଟନ ଜିଲ୍ଲାପାଳଙ୍କ ଦ୍ଵାରା କରାଯାଇଥିଲା। ଏହି ଉଦ୍ଘାଟନ ସମୟରେ ସରପଞ୍ଚ, ତମାମରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡୁଙ୍ଗୁରିପାଲି, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଡୁଙ୍ଗୁରିପାଲି, ତମାମରା ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ତାମାମରା ଗ୍ରାମ ପଞ୍ଚାୟତ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ଦ୍ଵାରା ଡୁଙ୍ଗୁରିପାଲି ପଞ୍ଚାୟତ ସମିତିର ୨୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଶନ ଶକ୍ତି ମାଧ୍ୟମରେଏକ ଲକ୍ଷ ଟଙ୍କା ଲେଖାଏଁ ସି.ଆଇ.ଏଫ୍ ଅନୁଦାନ ରାଶି ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ