
ଜୟପୁର, ୧୩ ଏପ୍ରିଲ୍ (ହି.ସ.)- ଓଡିଶା ପକ୍ଷ ୨୦୨୬ ଅବସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ବୋରିଗୁମ୍ମା ଠାରେ ପାଳନ କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ମହିଳା ଗୋଷ୍ଠୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମରେ ପାରମ୍ପାରିକ ଖାଦ୍ୟର ଏକ ଅଲଗା ଛବି ଦେଖିବାକୁ ମିଳିଥିଲା। ମାଣ୍ଡିଆ, ସୁଆଁ, କାଙ୍ଗୁ ଭଳି ପୃଷ୍ଟିକର ମିଲେଟ୍ ଧାନ୍ୟ ଦ୍ୱାରା ୧୨୫ ପ୍ରକାରରୁ ଅଧିକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇଥିଲା । ପିଠା, ପାଖାଳ, ଲଡ୍ଡୁ, ଜୂସ୍, ଆମ୍ବଳିଆ ଏବଂ ବିଭିନ୍ନ ପ୍ରକାରର ଲୋକାଲ ଆଦିବାସୀ ଖାଦ୍ୟ ଏହି ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଏହି ସମସ୍ତ ଖାଦ୍ୟ ଏସଏଚଜି ଗ୍ରୁପ୍ ମହିଳାମାନେ ଓ ଅଙ୍ଗନବାଡି ଦିଦିମାନେ ନିଜ ହାତରେ ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ମହିଳାମାନଙ୍କ ସ୍ଵାବଲମ୍ବନ ସହିତ ପାରମ୍ପାରିକ ଖାଦ୍ୟର ପୁନରୁଜ୍ଜୀବନ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଡାକ୍ତର ଓ ବିଶେଷଜ୍ଞମାନେ କହିଥିଲେ ଯେ, ଏହି ପ୍ରକାର ମିଲେଟ୍ ଭିତ୍ତିକ ଖାଦ୍ୟ ଶରୀର ପାଇଁ ବହୁତ ଉପକାରୀ । ବିଶେଷକରି ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଏହା ପୃଷ୍ଟିର ଏକ ମୂଳ ସ୍ରୋତ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହା ସହିତ, ଆଧୁନିକ ଖାଦ୍ୟ ପ୍ରତି ଆକର୍ଷଣ କମେଇ ପୁଣିଥରେ ପାରମ୍ପାରିକ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ଲୋକମାନଙ୍କ ରୁଚି ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ରହିଥିଲା।
ସ୍ଥାନୀୟ ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦେଇ ଏହି ପୃଷ୍ଟିକର ଖାଦ୍ୟର ସ୍ୱାଦ ଉପଭୋଗ କରିଥିଲେ ଓ କାର୍ଯ୍ୟକ୍ରମକୁ ଭଲ ପ୍ରତିସାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି