
ନୂଆପଡ଼ା, ୧୩ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ ଓ ସ୍ଥାନୀୟ ସରପଞ୍ଚ ସତ୍ୟବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ ଓ ମହିଳାମାନଙ୍କ ପାଇଁ ରହିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।
ଏହି ଅବସରରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ ରୀୟଂଶିଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଉପହାର ସହିତ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ, ଫଳମୂଳ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା। ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବହୁତ ଜନମଙ୍ଗଳକାରୀ ଓ କର୍ମନିଯୁକ୍ତି ଯୋଜନା ଉପଲବ୍ଧ ଅଛି। ଗ୍ରାମବାସୀମାନେ ପ୍ରବାସୀ ଶ୍ରମିକ ଭାବେ ବାହାରକୁ ନଯାଇ ସ୍ଥାନୀୟ ସୁଯୋଗର ଲାଭ ଉଠାଇବାକୁ ସେ ଆହ୍ୱାନ କରିଥିଲେ। ସେ ଛୋଟ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲକୁ ପଠାଇବାକୁ ଓ ଗାଁକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ‘ମା’, ‘ମାତୃଭାଷା’ ଓ ‘ମାତୃଭୂମି’କୁ କେବେ ଭୁଲିବା ଉଚିତ୍ ନୁହେଁ। ସମସ୍ତଙ୍କୁ ଦଲାଲ ମାନଙ୍କ ଠାରୁ ଦୂରେ ରହି ସିଧାସଳଖ ବିଭାଗ ସହ ଯୋଗାଯୋଗ କରି ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ମନରେଗାରେ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ରେଖାରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ପ୍ରଦାନ କରାଯାଇଥିଲା। ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ “ସ୍ୱଚ୍ଛତା ଦୂତ” ସମ୍ମାନରେ ସମ୍ମାନିତ କରାଯାଇଥିଲା। “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅବସରରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବାସସ୍ଥାନ ବ୍ୟବସ୍ଥା କରାଯାଇଥିଲା। ଶେଷରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ କୋମନା ବିଡିଓ, ତହସିଲଦାର, ପଞ୍ଚାୟତିରାଜ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ୱୟରେ ଆୟୋଜନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ