
କେନ୍ଦ୍ରାପଡା, ୧୩ ଏପ୍ରିଲ୍ (ହି.ସ.)- ଜିଲ୍ଲା ପରିଷଦ କେନ୍ଦ୍ରାପଡ଼ାର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ ୭୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୬୧ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗ ରହିଥିଲା। ତନ୍ମଧ୍ୟରୁ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ମୋଟ ୧୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ଗୌଡ଼, ବିଡିଓ ଅଭିଷେକ ସ୍ୱାଇଁ, ତହସିଲଦାର କୁଇନି ଜେନା ଓ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରକାଶ ଥାଉ କି, ଆସନ୍ତା ଦିନଗୁଡ଼ିକରେ ବିଭିନ୍ନ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ତାହାନୁସାରେ ୨୦ ଏପ୍ରିଲରେ ରାଜକନିକା ବ୍ଲକ, ୨୭ ଏପ୍ରିଲରେ ଆଳି ବ୍ଲକ, ୪ ମଇରେ ମାର୍ଶାଘାଇ ବ୍ଲକ, ୧୧ ମଇରେ ମହାକାଳପଡ଼ା ବ୍ଲକ, ୧୮ ମଇରେ ଡେରାବିଶ ବ୍ଲକ ଏବଂ ୨୫ ମଇରେ ଗରଦପୁର ବ୍ଲକରେ ଏହି ଶିବିରଗୁଡ଼ିକ ଆୟୋଜିତ ହେବ।
ହିନ୍ଦୁସ୍ଥାନ ସମାଚାର / ରବି