
ଝାରସୁଗୁଡ଼ା, ୧୩ ଏପ୍ରିଲ୍ (ହି.ସ.)- ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିବା ସହ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ମୋଟ ୪୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୨୮ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୧୩ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିସହ ୩ ଜଣଙ୍କୁ ସହାୟତା ପାଣ୍ଠି ରୁ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଶିବିରରେ ମୁଖ୍ୟତଃ ଜମିଜମା ବିବାଦ, ବେଆଇନ ମଦ କାରବାର ଉପରେ ରୋକ ଲଗାଇବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନୂତନ ରାସନ କାର୍ଡ ପ୍ରଦାନ ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ଅଭିଯୋଗମାନ ଆସିଥିଲା। ଜିଲ୍ଲାପାଳ ପ୍ରତ୍ୟେକଟି ଆବେଦନକୁ ଗୁରୁତ୍ୱର ସହ ବିଚାର କରି କେତେକ ସମସ୍ୟାର ତତ୍କାଳ ସମାଧାନ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ ଏବଂ ବିଡିଓ ବିନୟ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗ ସମ୍ପର୍କିତ ସମସ୍ୟାର ଉତ୍ତର ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ