ସିଜିମାଳି ଘଟଣାରେ ରାଜ୍ୟପାଳଙ୍କୁ ଚାରି ବାମପନ୍ଥୀ ଦଳର ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଚାରି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ (ଏମ୍ଏଲ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଏକ ୮ଜଣିଆ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ସୋମବାର ରାଜ୍ୟପାଳଙ୍କୁ ସାକ୍ଷାତ କରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ କଂଟାମାଳ
ags


ଭୁବନେଶ୍ୱର, ୧୩ ଏପ୍ରିଲ (ହି.ସ)- ଚାରି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ (ଏମ୍ଏଲ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଏକ ୮ଜଣିଆ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ସୋମବାର ରାଜ୍ୟପାଳଙ୍କୁ ସାକ୍ଷାତ କରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ କଂଟାମାଳ ଗ୍ରାମରେ ଆଦିବାସୀଙ୍କ ଉପରେ ହୋଇଥିବା ନିର୍ମମ ପୋଲିସ ଦମନ, ବେଦାନ୍ତ କମ୍ପାନୀର ସିଜିମାଳି ପାହାଡ଼ରେ ବେଆଇନ ବକ୍ସାଇଟ୍ ଖଣି ଖନନ ପ୍ରକଳ୍ପ ଏବଂ ଅମାନବୀୟ ବିସ୍ଥାପନ ବିରୋଧରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାମପନ୍ଥୀ ପ୍ରତିନିଧି ଦଳରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ଯେ, ସାମ୍ବିଧାନିକ ଦାୟିତ୍ୱ ପାଳନ କରି ତୁରନ୍ତ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ଓ ଆଦିବାସୀଙ୍କ ଅଧିକାର ରକ୍ଷା କରନ୍ତୁ।

ଏହି ପ୍ରତିନିଧି ଦଳରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ (ଏମ୍ଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ସିପିଆଇର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ସିପିଆଇ (ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବଦ୍ରିନାରାୟଣ ଦାଶ, ସିପିଆଇ (ଏମ୍ଏଲ) ଲିବରେସନ ରାଜ୍ୟ ନେତା ମହେନ୍ଦ୍ର ପରିଡ଼ା ଓ ଫରୱାର୍ଡ ବ୍ଲକର ରାଜ୍ୟ ନେତ୍ରୀ ଲକ୍ଷ୍ମୀ ଦୋରା ପ୍ରମୁଖ ରାଜ୍ୟ ନେତୃବୃନ୍ଦ ପ୍ରତିନିଧି ଦଳରେ ଯାଇଥିଲେ।

ପୋଲିସ ଦମନ, ଡ୍ରୋନ୍ ସର୍ଭେଲାନ୍ସ ଓ ଭାରତୀୟ ନ୍ୟାୟ ସଂହିତାର ଧାରା- ୧୬୩ ନିଷେଧାଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ; ସିଜିମାଳିରେ ବେଆଇନ ବକ୍ସାଇଟ୍ ଖରି ପ୍ରକଳ୍ପ ସମ୍ପୂର୍ଣ୍ଣ ବାତିଲ କରାଯାଉ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ; ଏପ୍ରିଲ ୭ କଣ୍ଟାମାଳ ଘଟଣାର ଉଚ୍ଚସ୍ତରୀୟ, ନିରପେକ୍ଷ ତଦନ୍ତ କରାଯାଉ ଓ ଆହତଙ୍କୁ ଉନ୍ନତ ଚିକିତ୍ସା ଓ କ୍ଷତିପୂରଣ ଦିଆଯାଉ; ଆନ୍ଦୋଳନକାରୀଙ୍କ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର ଓ ଜେଲ୍ରୁ ନିଃସର୍ତ ମୁକ୍ତି ଦିଆଯାଉ; ପଞ୍ଚମ ଅନୁସୂଚୀ ଅଞ୍ଚଳରେ ପଞ୍ଚମ ଅନୁସୂଚୀ ପଞ୍ଚାୟତ ସମ୍ପ୍ରସାରଣ କ୍ଷେତ୍ର ଆଇନ - ୧୯୯୬ ଓ ଜଙ୍ଗଲ ଅଧିକାର ଆଇନ -୨୦୦୬, ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନର୍ବାସ ଆଇନ -୨୦୧୩ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ଓ ଜାଲିଆତି ଗ୍ରାମସଭାକୁ ବାତିଲ କରାଯାଉ ଏବଂ ନିରପେକ୍ଷ ଗ୍ରାମସଭା ଆୟୋଜନ କରାଯାଉ; ପଞ୍ଚମ ଅନୁସୂଚୀ ଅନୁଯାୟୀ ଆଦିବାସୀଙ୍କ ଜଳ- ଜମି- ଜଙ୍ଗଲ ଜୀବିକା ଓ ସାଂସ୍କୃତିକ ଅଧିକାର ସୁରକ୍ଷିତ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande