
ଭଦ୍ରକ, ୧୪ ଅପ୍ରେଲ (ହି.ସ.) - ମଙ୍ଗଳବାର ପବିତ୍ର ମହା ବିଶୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଇଁ ଉତ୍ସବମୁଖର ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଓଡ଼ିଆ ନବବର୍ଷରେ ପୀଠରେ ପ୍ରଚଳିତ ନୂଆ ବିରଜା ପାଞ୍ଜି ଆଜିଠାରୁ ଆରମ୍ଭ ହେଉଥିବା ବେଳେ ବୈଶାଖ୍ୟମାସର ପ୍ରଥମ ଦିନ ପାଳନ କରାଯାଇଥିଲା। ତାହାସହ ପଣା ସଂକ୍ରାନ୍ତି ଠାରୁ ଏକମାସ ଧରି ବାବାଙ୍କ ମନ୍ଦିରରେ ଶୀତଳ ଉପଚାର ବା ଜଳଛାୟା ନୀତି ଅନୁଷ୍ଠିତ ହେବ। ବିଶ୍ୱାସ ରହିଛି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୁଦ୍ରତାପରୁ ମଣିବାବାଙ୍କର ଉପଶମ ନିମନ୍ତେ ଶହଶହ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଧରି ବାବାଙ୍କ ପାଖକୁ ଆସି ସେବାୟତଙ୍କ ଦ୍ୱାରା ଜଳଲାଗି କରିଥାନ୍ତି। ଏଥିପାଇଁ ଭୋର ୫ଟାରୁ ଗୋପାଳ ଭକ୍ତମାନେ ୨ଗୋଟି ପିତଳ କଳସୀରେ ଜଳଭାର ଧରି ପହଂଚିଥିଲେ ବାବାଙ୍କ ପୀଠରେ ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ବ୍ୟାରିକେଡ଼ରେ ଯାଇ ସେବାୟତଙ୍କ ଦ୍ୱାରା ଜଳଲାଗି କରିଥିଲେ। ଅନ୍ୟପଟେ ହଜାରହଜାର ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ମନ୍ଦିର ଭିତରେ ଓ ବାହାରେ। ଭିଡକୁ ଦୃଷ୍ଟିରେ ରଖି ଜିଲା ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ଥଳପଥ ଓ ଜଳପଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପଟେ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଦୈନନ୍ଦିନ ନୀତିନୀର୍ଘଂଟର ସାମନ୍ୟ ପରିବର୍ତନ କରାଯାଇ ଭୋର ୪ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆଳତୀ ସହ ଘର୍ଷଣଲାଗି, ପଣାଭୋଗଲାଗି ଲାଗି ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟଭୋଗ ସମ୍ପନ୍ନ କରାଯାଇଥିଲା। ପରଜ ସକାଳ ୫ଟାରୁ ଗୋପାଳଭକ୍ତମାନେ ଧାଡିରେ ଯାଇ ମଧ୍ୟାହ୍ନ ୧୧ଟା ଯାଏଁ ଜଳଲାଗି କରିଥିଲେ। ସମସ୍ତ ସକାଳ ଧୂପ ମଧ୍ୟାହ୍ନ ୧ଟା ସୁଧା ସରିବା ପରେ ଅବକାଶ ନୀତି କରାଯିବା ପରେ ସେବାୟତଙ୍କ ଦ୍ୱାରା ପଣାଭୋଗ ଲାଗି ସହ ଅପରାହ୍ଣରେ ବାବାଙ୍କୁ ବଡସିହାଂର ବେଶରେ ସଜିତ କରାଯାଇ ସନ୍ଧ୍ୟା ନୀତି ସହ ଆଳତୀ ଓ ଅନ୍ୟ ନୀତି ସମ୍ପନ୍ନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ