
ନୂଆପଡ଼ାରେ ଡଃ. ବି.ଆର. ଆମ୍ବେଦକର ଜୟନ୍ତୀ ପାଳିତ
ନୂଆପଡ଼ା, ୧୪ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହ ପରିସରରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଭାରତୀୟ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡଃ. ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ବାବା ସାହେବଙ୍କ ଜୀବନ ଉପରେ ଆଲୋକପାତ କରି କହିଥିଲେ ଯେ, ସମାନତା, ସାମାଜିକ ନ୍ୟାୟ ଓ ଭ୍ରାତୃତ୍ୱ ଆଧାରିତ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଡଃ. ଆମ୍ବେଦକରଙ୍କ ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ। ସମାଜରୁ ଭେଦଭାବ ଓ ଅସମାନତା ଦୂର କରି ସକାରାତ୍ମକ ପରିବେଶ ଗଢ଼ି ତୋଳିବା ପାଇଁ ତାଙ୍କ ଚିନ୍ତାଧାରା ଆଜି ବି ପ୍ରାସଙ୍ଗିକ। ସେ ଆହୁରି କହିଥିଲେ ଯେ, ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଗଠନରେ ନିଜ ଭୂମିକା ପାଳନ କରିବା ଆବଶ୍ୟକ। ଜିଲ୍ଲାପାଳ କହିଥିଲେ, “ଡଃ. ବି.ଆର. ଆମ୍ବେଦକର କେବଳ ସୁନା କିମ୍ବା ହୀରା ନୁହନ୍ତି, ସେ କୋହିନୂର ସମାନ। ସମାଜରେ ଅସ୍ପୃଶ୍ୟତା ଓ ଭେଦଭାବର ଯେ ପୀଡ଼ା ସେ ନିଜେ ଅନୁଭବ କରିଥିଲେ, ତାହାକୁ ଦୂର କରିବା ପାଇଁ ସେ ଶିକ୍ଷାକୁ ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରି ସାମାଜିକ ସଂସ୍କାର ଆଣିଥିଲେ। ତାଙ୍କ ଜୀବନ ଓ ସଂଘର୍ଷ ଆମ ସମସ୍ତଙ୍କ ପାଇଁ ଏକ ଦିଗଦର୍ଶକ। କାର୍ଯ୍ୟକ୍ରମରେ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଡଃ. ଆମ୍ବେଦକରଙ୍କ ଜୀବନ ଓ କୃତିତ୍ୱ ଉପରେ ଆଲୋଚନା କରିଥିଲେ। ବକ୍ତାମାନେ ଡଃ. ଆମ୍ବେଦକରଙ୍କ ଦୂରଦୃଷ୍ଟି, ତ୍ୟାଗ ଓ ସଂଘର୍ଷକୁ ସ୍ମରଣ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ଧନେଶ୍ୱର ସେଠୀ ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ