
ଝାରସୁଗୁଡ଼ା, ୧୪ ଏପ୍ରିଲ୍ (ହି.ସ.)- ଭାରତୀୟ ସମ୍ବିଧାନର ଜନକ, ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଆଜି ସକାଳ ୮ଟା ସମୟରେ ସୁନାରିମୁଣ୍ଡା ଛକସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଡି.ଏମ.ଏଫ୍ ଅଡିଟରିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବାବା ସାହେବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି କହିଥିଲେ ଯେ, ଆଦର୍ଶ, ତ୍ୟାଗ ଓ ଶ୍ରେଣୀବିହୀନ ସମାଜ ଗଠନ ପାଇଁ ଡଃ. ଆମ୍ବେଦକରଙ୍କ ସଂଗ୍ରାମ ଚିରଦିନ ପାଇଁ ଅଭୁଲା ରହିବ। ସମାଜରୁ ଭେଦଭାବ ଓ ଅସ୍ପୃଶ୍ୟତା ଦୂର କରିବାରେ ତାଙ୍କର ଅବଦାନ ମହାନ। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ସେ ଯେଉଁ ନିଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି, ତାହା ଭାରତୀୟ ସମ୍ବିଧାନକୁ ସମଗ୍ର ବିଶ୍ୱରେ ଅନନ୍ୟ କରିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ ନ୍ୟାୟ ହିଁ ଆମ ସମ୍ବିଧାନର ମୁଖ୍ୟ ବିଶେଷତ୍ୱ ଏବଂ ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସମାଜ ଗଠନରେ ବ୍ରତୀ ହେବା ଆବଶ୍ୟକ।
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡଃ. ଶିବପ୍ରିୟା ମିଶ୍ର ଯୋଗଦେଇ ଡଃ. ଆମ୍ବେଦକରଙ୍କୁ ଜଣେ ମହାନ୍ ଚିନ୍ତାନାୟକ, ରାଷ୍ଟ୍ରନାୟକ ଓ ପ୍ରଜ୍ଞାର ପ୍ରତୀକ ଭାବେ ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ବିଶ୍ୱ ରଞ୍ଜନ ନାୟକ କହିଥିଲେ ଡକ୍ଟର ଆମ୍ବେଦକରଙ୍କ ରଚିତ ସମ୍ବିଧାନରେ ସେ ପ୍ରଦାନ କରିଥିବା ମୌଳିକ ଅଧିକାର ଓ ସମାନତା ହିଁ ଗଣତନ୍ତ୍ରର ସୁରକ୍ଷା କବଚ। ବାବା ସାହେବଙ୍କ ସ୍ୱପ୍ନର ଭାରତ ଗଠନ କରିବାକୁ ହେଲେ ଆମକୁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବାକୁ ହେବ। ସମାଜରୁ ଭେଦଭାବ ଦୂର କରି ସମସ୍ତଙ୍କୁ ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜ ବନ୍ଧୁ ଭୋଇ କହିଥିଲେ,ଆଧୁନିକ ଭାରତର ନିର୍ମାଣରେ ବାବା ସାହେବଙ୍କ ଦୂରଦୃଷ୍ଟି ଅତୁଳନୀୟ।
ଏହି ଅବସରରେ ଉପ ଜିଲ୍ଲାପାଳ, ସବ୍ୟସାଚୀ ପଣ୍ଡା କହିଥିଲେ ଶିକ୍ଷା ହିଁ ସମସ୍ତ ପରିବର୍ତ୍ତନର ମୂଳଦୁଆ ବୋଲି ବାବା ସାହେବ ସର୍ବଦା ବିଶ୍ୱାସ କରୁଥିଲେ। ତାଙ୍କ ପ୍ରଦର୍ଶିତ 'ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର' ମନ୍ତ୍ର ଆଜିର ପ୍ରଶାସନିକ ବ୍ୟବସ୍ଥା ଓ ସମାଜ ଗଠନ ପାଇଁ ଏକ ଅନନ୍ୟ ଦିଗଦର୍ଶନ ଏବଂ ଆଜି ବି ପ୍ରଗତିର ମୂଳଦୁଆ।
ଏହି ଅବସରରେ, ନିର୍ବାହୀ ଅଧିକାରୀ, ପୌରପାଳିକା ଝାରସୁଗୁଡ଼ା ମାନସ ରଞ୍ଜନ ମଲ୍ଲିକ କହିଥିଲେ, ସମାଜରୁ ଭେଦଭାବ ଦୂର କରି ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବା ହିଁ ବାବା ସାହେବଙ୍କ ପ୍ରତି ପ୍ରକୃତ ସମ୍ମାନ। ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ସୁଚାରୁରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଅତିଥିମାନଙ୍କୁ ଉତ୍ତରୀୟ ଓ ଚାରାଗଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ଝାରସୁଗୁଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ