
କେନ୍ଦ୍ରାପଡ଼ା, ୧୪ ଅପ୍ରେଲ (ହି.ସ.)- ଦଳିତ ପରିବାରରେ ଜନ୍ମ ହୋଇ ଉଚ୍ଚ ଶିକ୍ଷା ଲାଭ କରି ଦଳିତ ମାନଙ୍କୁ ଶକ୍ତି ସାମର୍ଥ୍ୟ ଓ ଅଧିକାର ଦେବାରେ ବାବା ସାହେବ ଡ଼. ଆମ୍ବେଦକରଙ୍କ ଭୂମିକା ଥିଲା ଅତୁଳନୀୟ। ସମାଜରୁ ଅସ୍ପୃଶ୍ୟତା ଦୂର କରିବା ପାଇଁ ଆମ୍ବେଦକର ଅହରହ ସଂଗ୍ରାମ କରିଥିଲେ। ଏଥିପାଇଁ ଅଛୁଆଁ ଏକ ଅପରାଧ ବୋଲି ସମ୍ବିଧାନରେ ବିଧି ବ୍ୟବସ୍ଥା କରିଯାଇଛନ୍ତି। ଆଜି ଜନ ପ୍ରତିନିଧି ମାନେ ଦଳିତ ମାନଙ୍କ ସମସ୍ୟା କେତେ ବୁଝୁଛନ୍ତି ବୋଲି କେନ୍ଦ୍ରାପଡ଼ା ଆମ୍ବେଦକର ସ୍ମୃତି କମିଟି ଓ କେନ୍ଦ୍ରାପଡ଼ା ସମତା ସୈନିକ ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ସହରସ୍ଥ ହାଇସ୍କୁଲ ଛକରେ ଅନୁଷ୍ଠିତ ବାବା ସାହେବଙ୍କ ୧୩୬ ତମ ଜୟନ୍ତୀ ପାଳନ ଅବସରରେ ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ଅନ୍ୟତମ ଅତିଥି ଭାବେ ଜିଲା ପରିଷଦ ସଭାପତି ଲିଳିତା ଦାସ, ନଗରପାଳ ସରିତା ସାହୁ, ଜିଲ୍ଲାପାଳ ରଘୁରାମ ଆର ଆୟାର ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ମହିଳା କମିଶନ ସଦସ୍ୟା କଳ୍ପନା ମଲ୍ଲିକ କହିଲେ ବାବାସାହେବ ଆମ୍ବେଦକର ଦଳିତ ସମାଜକୁ ଆହ୍ୱାନ ଦେଇ କହିଥିଲେ ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର। ବହୁ ବାଧା ବିଘ୍ନ ସତ୍ବେ ସଂଘର୍ଷ ବଳରେ ଏଠାରେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ ମାନବ ଭାରତ ରତ୍ନ ବାବା ସାହେବଙ୍କ ପ୍ରତିମୂର୍ତ୍ତି ହାଇସ୍କୁଲ ଛକରେ ସ୍ଥାପିତ ହୋଇପାରିଲା। ଆଜି ଯଦି ଆମେ ଏହି ସ୍ଥାନରେ ଅଛୁ ତାହା ଆମ୍ବେଦକରଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ସେମାନେ କହିଥିଲେ। କେନ୍ଦ୍ରାପଡ଼ା ଆମ୍ବେଦକର ସ୍ମୃତି କମିଟି ସଭାପତି ସୁଧୀର କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମତା ସୈନିକ ଦଳର ସଂଗଠନ ସମ୍ପାଦକ ଗୟାଧର ଦାସ, ହଳଧର ମଲ୍ଲିକ, ତ୍ରିଲୋଚନ ମଲ୍ଲିକ, ମମତା ମୟୀ ମଲ୍ଲିକ, କୀର୍ତ୍ତନ ମଲ୍ଲିକ, ସୁରେନ୍ଦ୍ର ବେହେରା, ନିରୁପମା ବେହେରା, ସଞ୍ଜୟ ମଲ୍ଲିକ, ପ୍ରଭାତ ମହାପାତ୍ର, ଲାବନ୍ୟ ମଲ୍ଲିକ, ମନୋରଞ୍ଜନ ମଲ୍ଲିକ, ଅପୂର୍ବ ସେଠି, ଅର୍ଜୁନ ମଲ୍ଲିକ ପ୍ରମୁଖ ଆମ୍ବେଦକରଙ୍କ ତ୍ୟାଗ ତିତିକ୍ଷା ଓ ସଂଘର୍ଷ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ସମ୍ମାନ ଜଣାଇଥିଲେ। ଆମ୍ବେଦକର ଭବନ ନିର୍ମାଣ ପାଇଁ ପୂର୍ବରୁ ପୂର୍ବତନ ବିଧାୟକ ଶଶି ଭୂଷଣ ବେହେରା ୫ ଲକ୍ଷ ଅନୁଦାନ ଦେଇଥିଲେ। ବିଧାୟକ ଗଣେଶ୍ୱର ବେହେରା ବିଧାୟକ ପାଣ୍ଠିରୁ ଆଉ ୫ ଲକ୍ଷ ଦେବା ପାଇଁ ସଭାରେ ଘୋଷଣା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ