



ସୁବର୍ଣ୍ଣପୁର, ୧୪ ଏପ୍ରିଲ୍ (ହି.ସ.)- ଆଜି ପୂର୍ବାହ୍ନରେ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଭାରତ ରତ୍ନ ଡଃ. ବାବାସାହେବ ଭୀମରାଓ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ସୋନପୁର ଡଃ. ସୌମ୍ୟରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଶ୍ରୀମତୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଇତିହାସ ଅଧ୍ୟାପକ, ସୋନପୁର ମହାବିଦ୍ୟାଳୟ, ଡଃ. ସୁଦାମ ଦୀପ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଗ୍ରପୂଜ୍ୟ ଗଣେଶ ଏବଂ ଭାରତରତ୍ନ ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସଭାରେ ଅତିଥି ମାନେ ତାଙ୍କର ବକ୍ତବ୍ୟ ରଖି ଭାରତରତ୍ନ ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଡଃ. ନୃପରାଜ ସାହୁ ବାବାସାହେବଙ୍କ ମହାନ୍ ବ୍ୟକ୍ତିତ୍ଵର ଗାରିମା କହିଥିଲେ ଏବଂ ତାଙ୍କର ନୀତି ଆଦର୍ଶ ମାନିଲେ ଆମେ ଏକ ଭଲ ମଣିଷ ହୋଇ ପାରିବା ବୋଲି କହିଥିଲେ । ବାବାସାହେବଙ୍କ ଭଳି ଶିକ୍ଷା ଗ୍ରହଣରେ ବ୍ରତୀ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଡଃ. ସୁଦାମ ଦୀପ, ବାବାସାହେବଙ୍କ ଜୀବନ ଦର୍ଶନ ଏବଂ ନୂତନ ଭାରତ ଗଠନର ତାଙ୍କର ଭୂମିକା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ତାଙ୍କର ବକ୍ତବ୍ୟ ରଖି ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ବୋଲି କହିବା ସହିତ ଜାତିପ୍ରଥାର ମୂଳୋତ୍ପାଟନ, ଶିକ୍ଷାର ପ୍ରସାର, ନାରୀ ସ୍ଵାଧୀନତା, ଦଳିତ ଶୋଷିତଙ୍କ ନ୍ୟାୟ ପାଇଁ ଲଢେଇ ବିଷୟରେ କହିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ, ଚିତ୍ରାଙ୍କନ, ଓଡ଼ିଆ ଏବଂ ଇଂରାଜୀ ବକ୍ତୃତାର ପ୍ରତିଯୋଗୀତାର ମୋଟ୍ ୩୬ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ପ୍ରୀତି ସୁନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସାଂସ୍କୃତି ଅଧିକାରିଣୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ମଙ୍ଗଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଲଷ୍ମୀନାରାୟଣ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଯୁବବର୍ଗ ଓ ଜନସାଧାରଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ