
କେନ୍ଦୁଝର, 14 ଏପ୍ରିଲ୍ (ହି.ସ.) ଆଜି ଘଟଗାଁ ମାତାରିଣୀଙ୍କର ୯୦ତମ ଚଇତି ପର୍ବର ୬ଷ୍ଠ ଦିନ । ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ଏହି ଅବସରରେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମା । ଯାହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୯୩୭ ମସିହାରୁ ପାଳିତ ହେଉଥିବା ଘଟଗାଁ ମା ତାରିଣୀଙ୍କର ଚଇତି ପର୍ବ, ଏବର୍ଷ ୯୦ ବର୍ଷରେ ପହଞ୍ଚିଛି । ଗତ ୯ ତାରିଖରୁ ଆରମ୍ଭ ହୋଗ ଏହା ଆସନ୍ତା ୧୫ ତାରିଖ ଯାଏ ଚାଲିବାକୁ ଥିବା ଏହି ପର୍ବ ପାଳନ ପାଇଁ ମନ୍ଦିର ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରୌଦ୍ରତାପକୁ ଦୃଷ୍ଟିରେ ରଖି ମନ୍ଦିର ପରିସରକୁ ସମ୍ପୁର୍ଣ୍ଣ ରୂପେ ଚାନ୍ଦୁଆରେ ଆଚ୍ଛାଦିତ କରାଯିବା ସହ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ଲଗାଯାଇଛି । ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହୋଇଛି । ଏଥିସହ, ବସଷ୍ଟାଣ୍ଡରେ ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ରାତିସାରା ଦାସକାଠିଆ, ପ୍ରବଚନ ଏବଂ ବାଦୀପାଲା ଅନୁଷ୍ଠିତ ହେଇଛି । ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ମାଗଣା ଅନ୍ନପ୍ରସାଦ ସହିତ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଚଇତି ପର୍ବର ୬ଷ୍ଠ ଦିନ, ଆସନ୍ତା ୧୪ ତାରିଖ ପଣାସଂକ୍ରାନ୍ତି, ଓଡ଼ିଆ ନବବର୍ଷରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ । ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର। ଏହି ଅବସରରେ ବହୁ ଭକ୍ତ ଦୂରଦୂରାନ୍ତ ଆସି ମାଙ୍କ ଦର୍ଶନ ପାଇ ଆନନ୍ଦ ଲାଭ କରିଥିବା ପ୍ରକାଶ କରିଛନ୍ତି ନିତାଞ୍ଜଳି ବାରିକ। ମା ଙ୍କ ମହିମା ବହୁତ୍। ତାଙ୍କୁ ଯାହା ମାଗିଲେ ମା ହାତ ଖୋଲି ଦୀୟନ୍ତି ବୋଲି ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି ଭକ୍ତ ଶରତ ଚନ୍ଦ୍ର ଦେହୁରୀ। ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମାଆ ଙ୍କ ଦର୍ଶନ କରିବେ ବୋଲି ଜଣାପଡିଛି।
।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA