
କେନ୍ଦୁଝର, ୧୪ ଏପ୍ରିଲ୍ (ହି.ସ.)- ମହାବିଷୁଵ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ଘଟଗାଁ ମା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଘଟଗାଁ ମା ତାରିଣୀଙ୍କ ୯୦ତମ ଚଇତି ପର୍ବର ଷଷ୍ଠ ଦିନରେ ମାଙ୍କ ଦର୍ଶନ କରି ଆଶିଷଲାଭ କଲେ ମୁଖ୍ୟମନ୍ତ୍ରୀ । ଏଥି ସହିତ, ସମଗ୍ର ଓଡ଼ିଶାର ସର୍ବମଙ୍ଗଳ କାମନା କଲେ । ଯେଉଁମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି, ବିଶେଷ କରି, ଦଳିତ, ଆଦିବାସୀ ତଥା ପଛୁଆ ବର୍ଗର ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ । ଆଜି ସମ୍ବିଧାନ ପ୍ରଣେତା, ବି. ଆର୍. ଆମ୍ବେଦକର୍ ଜୟନ୍ତୀରେ ପଛୁଆ, ଦଳିତ ବର୍ଗର ଲୋକଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ଗରିବ କଲ୍ୟାଣ ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ଅଧିକ ୫ କେଜି ଲେଖାଏଁ ଚାଉଳ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୩ କୋଟି ୨୮ ଲକ୍ଷ ହିତାଧିକାରୀ ଲାଭ ପାଇବେ । ଏଥିସହ, ଅନ୍ତୋଦୟ ଗୃହ ଯୋଜନାରେ ରାଜ୍ୟର ପଛୁଆ ବର୍ଗର ହିତାଧିକାରୀଙ୍କୁ ଗୃହ ମିଳିବା ସହିତ, ପାନୀୟ ଜଳ ଏବଂ ବିଜୁଳି ମଧ୍ୟ ଯୋଗାଇ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତର ୪ର୍ଥ ଦିନରେ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବି. ଆର୍. ଆମେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ଓ ଅନ୍ୟ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA