ନୂଆପଡ଼ାରେ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ
ନୂଆପଡ଼ାରେ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ନୂଆପଡ଼ା, ୧୪ ଏପ୍ରିଲ (ହି.ସ.)- ; ନୂଆପଡ଼ାରେ ସିଏମ ଟ୍ରଫି ଅନ୍ତର୍ଗତ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଖୋ-ଖୋ ପ୍ରତିଯୋଗିତା ଆଜି ମହାସମାରୋହରେ ଉଦ୍ଘାଟିତ ହୋଇଛି। ସକାଳ ୯ ଟାରେ ସ୍ଥାନୀୟ ସରକା
District level sports


ନୂଆପଡ଼ାରେ ସିଏମ ଟ୍ରଫି ଜିଲ୍ଲାସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ

ନୂଆପଡ଼ା, ୧୪ ଏପ୍ରିଲ (ହି.ସ.)- ; ନୂଆପଡ଼ାରେ ସିଏମ ଟ୍ରଫି ଅନ୍ତର୍ଗତ ଜିଲ୍ଲାସ୍ତରୀୟ ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ଖୋ-ଖୋ ପ୍ରତିଯୋଗିତା ଆଜି ମହାସମାରୋହରେ ଉଦ୍ଘାଟିତ ହୋଇଛି। ସକାଳ ୯ ଟାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖୋ-ଖୋ ପ୍ରାଙ୍ଗଣରେ ପ୍ରତିଯୋଗିତାର ଆରମ୍ଭ ହୋଇଥିଲା। ବାଳକ ବିଭାଗରେ ୧୦ ଗୋଟି ଓ ବାଳିକା ବିଭାଗରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାସ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। “ପ୍ରତିଭା ଅନେକ, ଲକ୍ଷ୍ୟ ଏକ—ପଡ଼ିଆରୁ ପୋଡିଅମ” ଶ୍ଳୋଗାନକୁ ପଥେୟ କରି ଆୟୋଜିତ ଏହି ପ୍ରତିଯୋଗିତା ରାଜ୍ୟର କ୍ରୀଡା ପ୍ରତିଭାକୁ ଆଗକୁ ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ। ନୂଆପଡ଼ା ଜିଲ୍ଲାର କ୍ରୀଡା ପରମ୍ପରା ଉଲ୍ଲେଖନୀୟ ଥିବା ସହ, ଏଠାରୁ ଅନେକ ଖେଳାଳୀ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲାକୁ ଗୌରବାନ୍ୱିତ କରୁଛନ୍ତି। ବିଗତ ବର୍ଷ ରୂପେନ୍ଦ୍ର ରାଉତ ଓଡ଼ିଶା କବାଡି ଦଳର ଦଳପତି ଭାବେ ଜାତୀୟ ସ୍ତରରେ ଖେଳିଥିବା ଉଦାହରଣ ଦେଇ ସେ ଯୁବ ଖେଳାଳୀମାନଙ୍କୁ ପ୍ରେରିତ କରିଥିଲେ। ଏହି ପ୍ରତିଯୋଗିତାରୁ ମଧ୍ୟ ନୂତନ ପ୍ରତିଭା ଉଦ୍ଭବିତ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଫୁଟବଲ ସଂଘର ସମ୍ପାଦକ ସରୋଜ କୁମାର ସାହୁ ଯୋଗଦେଇ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ହେଉଥିବା ଉନ୍ନତି ଓ ଖେଳାଳୀମାନଙ୍କ ପାରଦର୍ଶିତା ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସ୍ତରକୁ ଚୟନ ହେଉଥିବା ଖେଳାଳୀମାନଙ୍କୁ ସେ ପ୍ରଶଂସା କରିଥିଲେ। ଆଜି ବାଳକ ବିଭାଗରେ ୬ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ବାଳିକା ବିଭାଗରେ ସଂଘର୍ଷପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ବାଳିକା ବିଭାଗରେ ନେଶନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଓ ବାଞ୍ଜିବାହାଲ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ହେବ। ବାଳକ ବିଭାଗରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଅନୁଷ୍ଠିତ ହେବ। ଅଭିଜ୍ଞ ଖେଳ ଶିକ୍ଷକ ଓ ରେଫେରୀମାନଙ୍କ ଦ୍ୱାରା ସମସ୍ତ ମ୍ୟାଚ ପରିଚାଳନା କରାଯାଇଥିଲା। ଉଭୟ ବିଭାଗରୁ ଶ୍ରେଷ୍ଠ ଖେଳାଳୀମାନଙ୍କୁ ଚୟନ କରି ଜିଲ୍ଲା ଦଳ ଗଠନ କରାଯିବ ଏବଂ ସେମାନେ ଆଗାମୀ ଦିନରେ ଜୋନାଲ ସ୍ତରରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande