

ଭୁବନ, ୧୪ ଏପ୍ରିଲ୍ (ହି.ସ.)- ଭୁବନ ଅଞ୍ଚଳରେ ମହାବିଷୁବ ପଣା ସଂକ୍ରାନ୍ତି, ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱରଙ୍କ ପୀଠରେ ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱର ଓ ପ୍ରଭୁ ହନୁମାନଙ୍କୁ ଦର୍ଶନ କରିଥିଲେ । ୧ ନମ୍ବର ୱାର୍ଡ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର, ପାଲା ମଣ୍ଡପ ସ୍ଥିତ ହନୁମାନ ମନ୍ଦିର, ସିନେମା ହଲ ଛକରେ ଥିବା ହନୁମାନ ମନ୍ଦିର ଓ ଶ୍ରୀରାମ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତ ମାନେ ହନୁମାନ ଚାଳିଶା ପାଠ କରିଥିଲେ। ଦକ୍ଷିଣ କାଳୀ ମନ୍ଦିର, ବାଟ ମଙ୍ଗଳା ଓ ବାଟ ତାରିଣୀ ପୀଠରେ ଧୁମ୍ ଧାମରେ ପଣା ସଂକ୍ରାନ୍ତି ପାଳିତ ହୋଇଥିଲା । ଭୁବନ ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ବାରୁଆଁ ମା ମଙ୍ଗଳା ପୀଠ ଓ ଓଡିଶ ମା ଚର୍ଚ୍ଚିକା ପୀଠରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି l ଶ୍ରଦ୍ଧାଳୁ ମାନେ ମା ' ଙ୍କ ଦର୍ଶନ କରିବା ସହିତ ପଣା ଭୋଗ ଲାଗି କରାଯିବା ସହ ମାନସିକ କରିଥିବା ମାଟିଘୋଡା ମା'ଙ୍କୁ ଅର୍ପଣ କରିଥିଲେ l ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିର ସମେତ ଗାଁ ଗହଳିରେ ଥିବା ଦେବୀପୀଠରେ ମହାବିଷୁବ ଓ ପଣା ସଂକ୍ରାନ୍ତି ଧୁମ ଧାମ ରେ ପାଳିତ ହୋଇଯାଇଛି । ବାରୁଆଁରେ ମା ମଙ୍ଗଳାଙ୍କ ପୀଠରେ ଶତାଧିକ ଉଠା ଦୋକାନ ପଡ଼ିଥିବା ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ମାନସିକଧାରି ମାନେ ଘଣ୍ଟପାଟୁଆଙ୍କ ଝାମୁ ଯାତ୍ରାରେ ଉପସ୍ଥିତ ହୋଇ ନିଜନିଜର ପିଲାଙ୍କ ମଙ୍ଗଳ କାମନା ପୂରଣ କରିଥିଲେ l ସେହିପରି ଓଡିଶ ଚର୍ଚ୍ଚିକା ପୀଠ, ବଡକାଠିଆ ମଙ୍ଗଳା ପୀଠ ଓ ଅନଳ ହନୁମାନ ମନ୍ଦିରରେ ପୂଜାର୍ଚନା କରାଯାଇଥିଲା l ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ସନ୍ଧ୍ୟାରେ ବଡ଼ହାଟ ଠାରେ ପାରମ୍ପରିକ ପାଟୁଆ ଯାତ୍ରା ଓ ଉଡା ପର୍ବରେ ମାନସିକବ୍ରତ ଧାରୀ ପାଟୁଆ ମାନେ ଚକ୍ରି ଦୋଳିରେ ଉଡ଼ିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ