
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଆସନ୍ତାକାଲି ଆତ୍ମପ୍ରକାଶ କରିବ ନୂଆ ଆଂଚଳିକ ଦଳ ଓଡିଶା ଜନତା କଂଗ୍ରେସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବଡ ସମାବେଶ କରାଯିବ। ଏହାପୂର୍ବରୁ ମଙ୍ଗଳବାର ଦିନ ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ମୋକିମ୍ କହିଛନ୍ତି ଜେନ୍ ଜିଙ୍କୁ ନେଇ ଦଳ ଆଗକୁ ବଢିବ। ବିଜେପି ବିରୁଦ୍ଧରେ ଲଢେଇ ହେବ। ବିଜେଡ଼ି କଂଗ୍ରେସର ବହୁ ନେତା ଓ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। ନିର୍ବାଚନ ସମୟରେ ସେମାନେ ଆମ ସହିତ ରହିବେ ବୋଲି ମୋକିମ୍ କହିଛନ୍ତି। ଓଡିଶାରେ ଏକମାତ୍ର ଆଂଚଳିକ ଦଳ ବିଜେଡ଼ି ଏବେ ଲୋକଙ୍କ ଠାରୁ ଦୁରେଇ ଯାଇଛି। ସେଥିପାଇଁ ଆମେ ବିକଳ୍ପ ଭାବେ ରାଜ୍ୟ ବାସୀଙ୍କ ସମର୍ଥନ ଲୋଡ଼ୁଛୁ ବୋଲି ମୋକିମ୍ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ଆଂଚଳିକ ଦଳ ଗଢ଼ି ଉଠିଛି। ଓଡ଼ିଶାରେ ବିଜେଡି ଗୋଟିଏ ଆଂଚଳିକ ଦଳ ରହିଛି। କଂଗ୍ରେସ ର ଅସ୍ତିତ୍ୱ ଲୋପ ପାଇଛି । ବିଜେଡି ଲୋକପ୍ରିୟତା ହରାଇଛି। ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି। ନବୀନଙ୍କ ବୟସାଧିକ୍ୟ କାରଣ ନୂଆପଡ଼ା ନିର୍ବାଚନ ରେ ଜଣାପଡ଼ିଛି। ଯୁବ ନେତୃତ୍ୱ ଦଳରେ ତାଙ୍କ ଭବିଷ୍ୟତ ଦେଖିପାରୁ ନାହାନ୍ତି। ଏହି ସମୟରେ ଏକ ରାଜନୈତିକ ଦଳ ର ଆବଶ୍ୟକତା ଥିଲା। ଓଡ଼ିଶାର ୧୫ ଟି ଜିଲ୍ଲା ଗସ୍ତ କରିସାରିଛୁ। ଆସନ୍ତାକାଲି ଓଡ଼ିଶା ଜନତା କଂଗ୍ରେସ ଜନତାଙ୍କ ପାଇଁ ଲୋକାର୍ପିତ ହେଉଛି। ଏହା ପରେ ସବୁ ରାଜନୈତିକ କାର୍ଯ୍ୟକ୍ରମ ହେବ।
ପାଂଚ ଛଅ ଥର ପରୀକ୍ଷା ରେ ଫେଲ ହୋଇଥିବା କଂଗ୍ରେସ ଦଳ ପାସ୍ ହେବା ପାଇଁ ଆଉ ଗୋଟିଏ ଫେଲ ହୋଇଥିବା ଦଳ ସହ ମିଶି ସାହାରା ଖୋଜୁଛନ୍ତି। ସେମାନେ ନିଜକୁ ଦୁର୍ବଳ ଅନୁଭବ କଲେଣି। ନିଜ ବଳରେ ଆଗକୁ ଯିବା ପାଇଁ ସକ୍ଷମ ହେଉନାହାନ୍ତି। ସେ ସମୟରେ ଓଡ଼ିଶା ରେ ଏକ ନୂତନ ଦଳର ଅଭ୍ୟୁଦୟ ହେବ ଆବଶ୍ୟକତା ରହିଛି। ଆସନ୍ତାକାଲି ୧୧ ହଜାର ଶୁଭେଚ୍ଛୁ ଯୋଗ ଦେବେ। ନୂଆ ଯୁବକଙ୍କୁ ନେଇ ନୂଆ ଓଡ଼ିଶା ଗଠନ ହେବ।
ବିଜେପି ସହିତ ଆମେ ବଢ଼ିବୁ। ସରକାରରେ ସେମାନେ ଅଛନ୍ତି।ସବୁ ଭୁଲ ନିଷ୍ପତିକୁ ବିରୋଧ କରାଯିବ।ମେ ୪ ରେ ମଧୁ ମହାନ୍ତିଙ୍କ ନେତୃତ୍ୱରେ ଭବାନୀପାଟଣାରେ ଏକ ବଡ଼ କାର୍ଯ୍ୟକ୍ରମ ରହିଛି ରୋଡ ସୋ ସଭା ମଧ୍ୟ ରହିଛି । ପଶ୍ଚିମ ଓଡ଼ିଶାର ସିରିଜ ପ୍ରୋଗ୍ରାମ ରହିଛି। ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି ମୋକିମ୍।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା