
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ୟୁନିଟ -୬ ଭୁବନେଶ୍ୱର କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଷୁବ (ପଣା ) ସଂକ୍ରାନ୍ତି ଓଡ଼ିଆ ନୂଆବର୍ଷ ପାଳିତ ହୋଇଯାଇଛି।
ସମ୍ମିଳନୀର ପରିସର ମଧ୍ୟରେ ଥିବା ତୁଳସୀ ଚଉରା ରେ ପଣା ଦାନ କରାଯିବା ପରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଜନସାଧାରଣ ମାନେ ମଧ୍ୟ ପାରମ୍ପରିକ ରୀତିରେ ପଣା ପାନ କରିଥିଲେ। ଏହି ଉଦେଶ୍ୟରେ ଏକ ସାଧାରଣ ବୈଠକ ସମ୍ମିଳନୀ ର ଉପସଭାପତି ପ୍ରଦୀପ୍ତ କୁମାର ମହାରଣା ଙ୍କ ଅଧକ୍ଷତା ତଥା ସାଧାରଣ ସମ୍ପାଦକ ଡକ୍ଟର ରାଧାନାଥ ପ୍ରହରାଜ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଆ ନୂଆବର୍ଷ ର ଗାଥା ଗାରିମା ତଥା ଓଡ଼ିଆ ମାନଙ୍କର ଗୌରବମୟ ଐତିହ ଏବଂ ପରମ୍ପରା ଇତ୍ୟାଦି ଉପରେ ବକ୍ତା ମାନେ ବିଭିନ୍ନ ଦୃଷ୍ଟିକୋଣରୁ ବକ୍ତବ୍ୟ ରଖିଥିଲେ।ଏହି କ୍ରମରେ ବକ୍ତା ଭୁବନାନନ୍ଦ ତ୍ରିପାଠୀ ତାଙ୍କର ବକ୍ତବ୍ୟ ରଖି ଓଡ଼ିଆ ମାନଙ୍କ ଗୌରବ, ଉଜ୍ୱଳମୟ ଅତୀତ ବଜାୟ ରଖିବାକୁ ହେଲେ, ଆମ୍ଭମାନଙ୍କର ଦୈନନ୍ଦିନ ଚଳଣି, କାର୍ଯ୍ୟଶୈଳୀ ଓ ସଂଚୟ ମନବୃତି ଇତ୍ୟାଦି ରେ ପରିବର୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କର ଏହି ମତାମତ ସଭାରେ ସର୍ବସମ୍ମତି କ୍ରମେ ଗୃହିତ ହେବା ସହ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଦୃଢ଼ ମତ ପୋଷଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା