
କେନ୍ଦ୍ରାପଡା, ୧୪ ଅପ୍ରେଲ (ହି.ସ.)- କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ ମଞ୍ଚର ୧୩ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ କୁହୁଡି ଗ୍ରାମପଞ୍ଚାୟତର ପସ୍ତା ଗ୍ରାମରେ ଥିବା ଦୁଇ ଗୋଟି ପୋଖରିକୁ ନିଲାମ୍ ନେଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୪-୨୫ ମସିହାରେ ଏହି ଗ୍ରାମର ଦୁଇଟି ପୋଖରୀ ସହିତ କୁହୁଡି ଗ୍ରାମପଞ୍ଚାୟତରେ ଥିବା ସମସ୍ତ ପୋଖରୀର ନିଲାମ୍ ପ୍ରକ୍ରିୟାରେ ବିନା କୈାଣସି କାରଣ ନ ଦର୍ଶାଇ ମାର୍ଶାଘାଇ ବ୍ଲକ ଉନ୍ନୟନ ଅଧିକାରୀ ଓ ସରପଞ୍ଚ ଦୁଇ ଦୁଇ ଥର ନିଲାମ୍ ତାରିଖ ଘୋଷଣା କରି ବାତିଲ କରିଦେଇଥିଲେ । ଯାହାଦ୍ୱାରା ଏହି ଗ୍ରାମରେ ଥିବା ଦୁଇଟି ପୋଖରୀ ନିଲାମ୍ ବାତିଲ୍ ହେବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରାଯାଇ କ୍ଷତି ହୋଇଥିବା ଅର୍ଥର ଭରଣା କରିବା ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ନ୍ୟାୟ ପ୍ରଦାନ କରାଯିବାକୁ ଉକ୍ତ ଗୋଷ୍ଠୀର ମହିଳା ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଦାବିପତ୍ର ସମୟରେ ଚିନ୍ମୟୀ ସାହୁ, ରତ୍ନମାଳୀ ସାହୁ, ଗୀତା ମଣ୍ଡଳ, ଆରତୀ ରାଉତ, ମାନୀ ମଣ୍ଡଳ, ଗୀତାଞ୍ଜଳୀ ଦାସ, ଜୟନ୍ତୀ ଦାସ, ପ୍ରମିଳା ଦାସ, ସସ୍ମିତା ଦାସ, ପୁଷ୍ପଲତା ପରିଡା, ପ୍ରଣତୀ ପଲ୍ଲାଇ, ରେବତୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ