
ଜୟପୁର, ୧୪ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ନୂତନ ଭାବେ ପ୍ରତିଷ୍ଠିତ କୁମୁଲି ଗ୍ରାମର ଜଗନ୍ନାଥ ମନ୍ଦିରରେ ଘଟିଛି ବଡ ଧରଣର ଚୋରି। ମହାପ୍ରଭୁଙ୍କ ସୁନା ଓ ରୂପା ଅଳଙ୍କାର ସହ ଦାନ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଏବଂ ସିସିଟିଭି ର ହାର୍ଡ ଡିସ୍କ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଭକ୍ତମାନଙ୍କ ମଧ୍ୟରେ ଚର୍ଚ୍ଚା ସହ ଅସନ୍ତୋଷ ଦେଖାଦେଇଛି। ଦୁର୍ବୁତ୍ତମାନଙ୍କୁ ଶୀଘ୍ର ଗିରଫ ଦାବି ହୋଉଛି ।
ଗତ ରାତିରେ ଦୁର୍ବୁତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ସୂଚନା ମିଳୁଛି । ଘଟଣା ପରେ ମନ୍ଦିର ପରିସରରେ ଅସ୍ତବ୍ୟସ୍ତ ପରିସ୍ଥିତି ଦେଖାଦେଇଛି। ସକାଳେ ପୂଜା ପାଇଁ ଆସିଥିବା ଭକ୍ତମାନେ ମନ୍ଦିରର ଏହି ଅବସ୍ଥା ଦେଖି ଅବାକ ହୋଇଯାଇଥିଲେ। ଖବର ପ୍ରଚାର ପରେ ଶହ ଶହ ଜଗନ୍ନାଥ ପ୍ରେମୀ ମନ୍ଦିର ସମ୍ମୁଖରେ ଭିଡ଼ ଜମାଇ ଥିଲେ। ଦୁର୍ବୁତ୍ତମାନଙ୍କୁ ଶୀଘ୍ର ଗିରଫ କରି କଡା ଶାସ୍ତି ଦେବା ଦାବିରେ ଗ୍ରାମବାସୀମାନେ ଅନଶନରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଘଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିସିଂହପୁର ପୋଲିସ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ମନ୍ଦିରଟି ମାତ୍ର ଏକ ମାସ ତଳେ ପ୍ରତିଷ୍ଠା ହୋଇଥିଲା। ଏତେ କମ୍ ସମୟ ମଧ୍ୟରେ ଏପରି ଚୋରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି l ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଭକ୍ତମାନେ ଶୀଘ୍ର ନ୍ୟାୟ ଦାବି କରୁଛନ୍ତି। ଏବେ ସମସ୍ତଙ୍କର ନଜର ପୋଲିସ ତଦନ୍ତ ଉପରେ ରହିଛି, କେବେ ଦୁର୍ବୁତ୍ତମାନେ ଗିରଫ ହେବେ ଓ ଲୁଟ ହୋଇଥିବା ସମ୍ପତ୍ତି ଫେରି ଆସିବ ସେ ନେଇ ଅଞ୍ଚଳରେ ଜୋର୍ ଧରୁଛି ନଚେତ୍ ଆନ୍ଦୋଳନ ଜୋରଦାର୍ ହେବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି