
ଭୁବନେଶ୍ୱର ,୧୪ ଏପ୍ରିଲ (ହି.ସ)- ପୂର୍ବତଟ ରେଳପଥ ଜୋନ୍ କୁ ଦୁର୍ବଳ କରିବା ଓ ଓଡ଼ିଶାର ନ୍ୟାୟସଂଗତ ହକ୍ କୁ କ୍ରମାଗତ ଅବହେଳା କରିବା ବିରୋଧରେ ରାଜ୍ୟର ବିରୋଧୀ ଦଳମାନଙ୍କର ଏକ ମିଳିତ ବୈଠକ ସି .ପି. ଆଇ.(ଏମ୍)ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରେଳ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ଆଲୋଚନା କରାଯାଇ ଆସନ୍ତା ୧୬ ଏପ୍ରିଲ ରେ ଭୁବନେଶ୍ୱରରେ ପୂର୍ବତଟ ରେଳପଥ ଜୋନ୍ ଅଫିସ (ରେଳ ସଦନ) ସମ୍ମୁଖରେ ବିଶାଳ ଗଣ ଧାରଣା ଆୟୋଜନ କରିବାକୁ ସିଦ୍ଧାନ୍ତ ନିଆଯାଇଛି।
ୱାଲଟିୟର ରେଳ ଡିଭିଜନ କୁ ପୂର୍ବତଟ ରେଳପଥ ଜୋନ୍ କୁ ଫେରାଇବା,ପାଲାସା- ଇଚ୍ଛାପୁରମ୍ ରେଳ ଅଂଚଳ କୁ ପୂର୍ବତଟ ରେଳପଥ ଜୋନ୍ ରୁ ଦକ୍ଷିଣ ଉପକୂଳ ରେଳପଥ ଜୋନ୍ କୁ ସ୍ଥାନାନ୍ତରଣ ନିଷ୍ପତି ତୁରନ୍ତ ପ୍ରତ୍ୟାହାର କରିବା,ଓଡ଼ିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଂଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଅଣାଯିବା,ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ରେଳ ଲାଇନ୍?ଗୁଡ଼ିକୁ ତୁରନ୍ତ ପୂର୍ବତଟ ରେଳପଥ ଜୋନ୍ ରେ ଅନ୍ତର୍ଭୁକ୍ତ କରିବା,ସୁନ୍ଦରଗଡ,ଝାରସୁଗୁଡ଼ା ଜିଲ୍ଲାର ରେଳ ରୁଟ୍ ଗୁଡିକୁ ନେଇ ନୂତନ ରେଳ ଡିଭିଜନ ଗଠନ ସହିତ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ରେଳ ରୁଟ ଗୁଡ଼ିକୁ ନେଇ ଅନ୍ୟ ଏକ ନୂତନ ରେଳ ଡିଭିଜନ ସ୍ଥାପନ କରିବା,ରେଳ ରାଜସ୍ୱ, ନିଯୁକ୍ତି ଓ ରେଳ ଭିତିଭୂମି ଉନ୍ନତିରେ ଓଡ଼ିଶାକୁ ତାହାର ନ୍ୟାୟସଂଗତ ଅଧିକାର ଦେବା ଇତ୍ୟାଦି ଦାବି ଉପରେ ଏହି ଗଣଧାରଣା ଅନୁଷ୍ଠିତ ହେବ।
ଏହି ମିଳିତ ବୈଠକରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଜେଡି ର ବରିଷ୍ଠ ନେତା ଲେନିନ ମହାନ୍ତି, ସି. ପି .ଆଇ. ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ନେତା ସୁର ଜେନା,ସି.ପି.ଆଇ.(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଅଳି କିଶୋରପଟ୍ଟନାୟକ, ଦୁଷ୍ମନ୍ତ କୁମାର ଦାସ,ଜମେଶ୍ୱର ସାମନ୍ତରାୟ, ସି.ପି.ଆଇ.(ଏମ.ଏଲ)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ନେତା ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ,
ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା